ବ୍ରହ୍ମପୁର,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରୁ ଚା’ପତି ବୋଝେଇ କରି ଚେନ୍ନାଇ ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ନଂ-ଟିଏନ୍.୭୭-୯୧୫୯) ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବସ୍ଷ୍ଟାଣ୍ଡ ନିକଟ ରାସ୍ତାକଡରେ ଛିଡା ହୋଇଥିବା ଆଉ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚା’ ପତି ବୋଝେଇ ଟ୍ରକର ଡ୍ରାଇଭର ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ରେଡ୍ ଜୋନ୍ ଭାବେ ପରିଚିତ ଗୋଳନ୍ଥରା ଠାରୁ ହଳଦିଆପଦର ୧୬ ନମ୍ବର ଜାତୀୟ ରାଜପଥରେ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି।
ସୂଚନାଥାଉକି, ଚା’ ବୋଝେଇ ଟ୍ରକ୍ଟି ପଶ୍ଚିମବଙ୍ଗରୁ ଚେନ୍ନାଇ ଯାଉଥିବା ବେଳେ ଭଦ୍ରକର ସଂଗ୍ରାମପୁର ଅଞ୍ଚଳର ଶରତ ଦାସ ଜୀବିକା ପାଇଁ ଚେନ୍ନାଇ ଯିବାପାଇଁ ଏହି ଟ୍ରକ୍କୁ ଲିଫ୍ଟମାଗି ଯାଉଥିଲେ। ଦୁର୍ଘଟଣାରେ ସେ ଓ ଟ୍ରକ୍ର ହେଲ୍ପର ମୃତ୍ୟୁବରଣ କରିଛନ୍ତି। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଗୁରୁତର ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଚିକିତ୍ସା ପାଇଁ ମେଡିକାଲ୍କୁ ପଠାଇଛନ୍ତି। ଚା’ ବୋଝେଇ ଟ୍ରକ୍ଟି ଯେଉଁ ଟ୍ରକ୍କୁ ଧକ୍କା ଦେଇଥିଲା ସେହି ଟ୍ରକ୍ଟି ଦୁର୍ଘଟଣାପରେ ଘଟଣାସ୍ଥଳରୁ ପଳାଇଥିବା ଜଣାପଡିଛି।