ସିଲେରୁ ନଦୀରେ ଡଙ୍ଗା ଓଲଟିବା ଘଟଣା: ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ଗତ ୨୪ ତାରିଖରେ ମାଲକାନଗିରି ଜିଲ୍ଲାର ସିଲେରୁ ନଦୀରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ଜଣେ ଯୁବକ ନିଖୋଜ ଥିଲେ। ଆଜି ଉକ୍ତ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ନିମାଲାପାଲେମ ଗ୍ରାମର ଏ. ବାଲାରାଜୁ ନାମକ ଜଣେ ଯୁବକ କୌଣସି କାର୍ଯ୍ୟରେ ଆନ୍ଧ୍ରପ୍ରଦେଶ ବୁରଦାଗୁଂଟାକୁ ଯାଇ ଫେରୁଥିଲେ। ସେହି ସମୟରେ ଡଙ୍ଗା ଓଲଟି ପଡ଼ିଥିଲା। ଫଳରେ ବାଲାରାଜୁ ନିଖୋଜ ହୋଇଯାଇଥିଲେ।

ଏ ସମ୍ପର୍କରେ ପୁଲିସ, ଅଗ୍ନିଶ୍ରମ ବାହିନୀ ଓ ତହସିଲର କର୍ମଚାରୀ ସୂଚନା ପାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ହେଲେ ଗତକାଲି ବାଲାରାଜୁଙ୍କ କୌଣସି ସୂଚନା ମିଳିନଥିଲା। ଫଳରେ ଆଜି ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏହି ସମୟରେ ତାଙ୍କ ମୃତ ଦେହ ନଦୀ କୂଳରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ମୃତ ଦେହକୁ ଉଦ୍ଧାର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ଶବ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ବାରମ୍ବାର ସିଲେରୁ ନଦୀରେ ଏଭଳି ଦୁର୍ଘଟଣା ଘଟୁଥିବାରୁ ପପୁଲୁର ଓ କୁର୍ମାନୁର ପଞ୍ଚାୟତର ଲୋକ ଆନ୍ଧ୍ର ପ୍ରଦେଶକୁ ଯିବା ପାଇଁ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।