ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବୁଧବାର ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭା ଏବଂ ଦିନିକିଆ ପ୍ରଶିକ୍ଷିଣ ଶିବିରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାତ କୁମାର ଓଝା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ଯକ୍ଷ୍ମା ରୋଗ ଆଉ ଦୁରାରୋଗ୍ୟ ହୋଇ ରହିନାହିଁ ବୋଲି ମତ ପ୍ରକାଶ କରିବା ସହ ନିୟମିତ ଔଷଧ ସେବନ ଏବଂ ନିଶା ଠାରୁ ଦୂରେଇ ରହିଲେ ଏହି ରୋଗ ଆରୋଗ୍ୟ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସେହିପରି ଟିବି ରୋଗରୁ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ଟିବି ଚମ୍ପିୟାନ, ସହରାଞ୍ଚଳ ଆଶାକର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଟିବି ରୋଗର କାରଣ ନିରାକରଣ ଏବଂ ସଂନ୍ଦିଗ୍ଦ ଟିବି ଆକ୍ରାନ୍ତଙ୍କ ଚିହ୍ନଟ ନିମନ୍ତେ ଏକ ଦିନକିଆ ପ୍ରଶିକ୍ଷଣ ଶିବିର  କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନର୍ସିଂ ପ୍ରଶିକ୍ଷଣ ବିଦ୍ୟାଳୟର ଛାତ୍ରୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶାକର୍ମୀ ଏବଂ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ।