ମାଲକାନଗିରିକୁ ଛାଡ଼ି ଅନ୍ୟ ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହର ପାଇଁ ପୂର୍ବତନ ଉପବାସ୍ପତିଙ୍କ ଅନୁରୋଧ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ଜନଗହଳି ସମ୍ଭାବନାକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତ୍ରିରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହା ଆସନ୍ତା ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବାବେଳେ ଏହାକୁ କେବଳ ମାଲକାନଗିରିରେ ବଳବତ୍ତର ରଖି ଜିଲ୍ଲାର ଅନ୍ୟ ଅଞ୍ଚଳରୁ ପ୍ରତ୍ୟାହୃତ କରିବାକୁ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ବଡଯାତ୍ରା ସମୟରେ କେବଳ ମାଲକାନଗିରି ସହର ବ୍ୟତୀତ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଶୋଭାଯାତ୍ରା ଓ ନାଟକ ମଞ୍ଚସ୍ଥ ହୋଇନଥାଏ। ଏଥିସହିତ ଜିଲ୍ଲାରେ କୌଣସି କରୋନାର ଦ୍ୱିତୀୟ ଲହରୀ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ମଧ୍ୟରେ କୌଣସି ବ୍ୟକ୍ତି କିମ୍ବା ସାମଗ୍ରୀ ପାଇଁ କଟକଣା ଜାରି କରାଯାଇ ନାହିଁ। ତେଣୁ ଜିଲ୍ଲାର ଜନସାଧାରଣଙ୍କ ସ୍ୱାର୍ଥ ତଥା ଜୀବନଜୀବିକା ପାଇଁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳ ଡା.ୱାଇ.ବିଜୟଙ୍କୁ ପୂର୍ବତନ ଉପବାସ୍ପତି ଶ୍ରୀ ଦୋରା ଅନୁରୋଧ କରିଛନ୍ତି।