ଗୁଜରାଟରେ ବାତ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ୧୦୫ କୋଟି ଟଙ୍କାର ସହାୟତା ଘୋଷଣା

ଗାନ୍ଧିନଗର,ଏଜେନ୍ସି: ନିକଟରେ ଗୁଜରାଟ ଉପକୂଳରେ ପ୍ରବଳ କ୍ଷତି ଘଟାଇଥିବା ସାମୁଦ୍ରିକ ବାତ୍ୟା ତଉ’ତେ ଯୋଗୁଁ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାର ୧୦୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ବସି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ପରେ ସହାୟତା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ବାତ୍ୟାରେ ଗୁଜରାଟ ଉପକୂଳର ମତ୍ସ୍ୟଜୀବୀଙ୍କ ଏକ ହଜାରରୁ ଅଧିକ ଡଙ୍ଗା ନଷ୍ଟ ହୋଇଯାଇଛି। ଯେଉଁମାନଙ୍କର ଡଙ୍ଗା ୫୦ ପ୍ରତିଶତ ଭାଙ୍ଗିରୁଜି ଯାଇଛି, ସେମାନଙ୍କୁ ୩୫ ହଜାର ପର୍ଯ୍ୟନ୍ତ ସହାୟତା ମିଳିବ। ଯେଉଁମାନଙ୍କର ଡଙ୍ଗା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ସେମାନଙ୍କୁ ୭୫ ହଜାର ଟଙ୍କା ସାହାଯ୍ୟ ମିଳିବ। ସେହିପରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଟ୍ରଲର୍‌ଗୁଡ଼ିକ ଲାଗି ୫ ଲକ୍ଷ ଟଙ୍କା ସହାୟତା ମିଳିବ। ଉଲ୍ଲେଖଯୋଗ୍ୟ, ଗତ ମେ’ ୧୭ ତାରିଖ ରାତିରେ ତଉ’ତେ ବାତ୍ୟା ସୌରାଷ୍ଟ୍ର ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।