ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣ କୁମାର ମିଶ୍ର ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି) ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟରୁ ଗତବର୍ଷ ସେପ୍ଟେମ୍ବର ୩ତାରିଖରେ ଅବସର ଗ୍ରହଣ କରିଥିଲେ। ସେ ୨୦୧୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଓ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏନ୍‌ଏଚ୍‌ଆର୍‌ସିର ଅଧ୍ୟକ୍ଷ ଭାବେ ସେ ୫ବର୍ଷ କିମ୍ବା ତାଙ୍କୁ ୭୦ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ।

ଜଷ୍ଟିସ୍ ମିଶ୍ର ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଲୋକସଭାର ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ନେଇ ଗଠିତ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ପଦ ପାଇଁ ଜଷ୍ଟିସ୍ ମିଶ୍ରଙ୍କ ନାମ ସୁପାରିସ କରିଥିଲା। ତେବେ ଏହି ସମୟରେ ଖାଡ଼ଗେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି ବା ଜନଜାତି ବର୍ଗର ଜଣଙ୍କୁ ନିଯୁକ୍ତି ଦିଆଯିବା ଲାଗି ପ୍ରସ୍ତାବ ଦେଇଥିଲେ। ଏଥିପୂର୍ବରୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏଚ୍ ଏଲ୍ ଦତ୍ତୁ ଏନ୍‌ଏଚ୍‌ଆର୍‌ସିର ଅଧ୍ୟକ୍ଷ ଥିଲେ। ସେ ଗତ ୨୦୨୦ ଡିସେମ୍ବରରେ ଅବ୍ୟାହତି ନେବା ପରଠାରୁ ଏହି ପଦବୀ ଖାଲି ପଡ଼ିଥିଲା।