୪ ମାସରେ ପାକିସ୍ତାନର ଦ୍ୱିତୀୟ ଅସ୍ତ୍ରବିରତି ଉଲ୍ଲଂଘନ, ଜମ୍ମୁରେ ଜେସିବି ଉପରେ ଗୁଳିମାଡ଼

ଶ୍ରୀନଗର,ଏଜେନ୍ସି: ଦୀର୍ଘ ୪ମାସ ମଧ୍ୟରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁ-କଶ୍ମୀରର ଆରନିଆ ସେକ୍ଟରସ୍ଥିତ ବିକ୍ରମ ପୋଷ୍ଟ ଅଞ୍ଚଳରେ ଜେସିବି ଯୋଗେ ସେଠାରେ ଥିବା ଛୋଟ ଛୋଟ ଗୁଳ୍ମ ସଫା କରାଯାଉଥିଲାବେଳେ ପାକିସ୍ତାନର ରେଞ୍ଜର୍ସମାନେ ତା’ ଉପରକୁ ଗୁଳିମାଡ଼ କରିଥିଲେ। ବିଏସ୍‌ଏଫ୍ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଗତ ମେ’ ୨ତାରିଖରେ ପାକିସ୍ତାନୀ ରେଞ୍ଜର୍ସମାନେ ଶାମ୍ବା ଜିଲ୍ଲା ଅନ୍ତର୍ଗତ ରାମଗଡ଼ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଗୁଳି ଚଳାଇଥିଲେ। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ଗତ ଫେବୃଆରୀ ୨୫ ତାରିଖରେ ସାନି ରାଜିନାମା ସ୍ୱାକ୍ଷରିତ ହେବାପରେ ଏହା ଥିଲା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ। ଗତ ମାର୍ଚ୍ଚ ମାସରେ ଶାମ୍ବା ଜିଲ୍ଲାରେ ପାକିସ୍ତାନର ଜଣେ ଅନୁପ୍ରବେଶକାରୀ ବିଏସ୍‌ଏଫ୍ ଯବାନଙ୍କ ଗୁଳିରେ ନିହତ ହୋଇଥିଲା।