ଏଲଏସି ନେଇ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି: ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ସୀମା ବିବାଦକୁ ନେଇ ଏପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି। କିନ୍ତୁ ଏଥିରେ କୌଣସି ସଫଳତା ମିଳିପାରି ନାହିଁ। ଆଗାମୀ ଦିନରେ ମିଲିଟାରୀ ସ୍ତରରେ ଆଲୋଚନା ହେବ। ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ସ୍ତରରେ ଆଲୋଚନା ଯେକୌଣସି ସମୟରେ ହୋଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏଲଏସିରେ ଜାରି ଥିବା ଉତ୍ତେଜନାରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ସମାନ ଅବସ୍ଥା ରହିଛି।

ଚୀନ ଓ ପାକିସ୍ତାନ ସହିତ ସମ୍ପର୍କ ନେଇ ରାଜନାଥ ସିଂହ କହିଛନ୍ତି ଆମେ ସମସ୍ତ ଦେଶ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛୁ। ପାକିସ୍ତାନ ସୀମା ଉଲ୍ଲଂଘନ କରୁଛି। ବିନା କାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଆମର ସୈନିକ ନିଜକୁ ପ୍ରମାଣିତ କରିପାରିଛନ୍ତି ଯେ, ସେମାନେ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ, ଭାରତ ନିଜର ଆତ୍ମସମ୍ମାନକୁ ତଳେ ପକାଇପାରିବ ନାହିଁ। ଆମକୁ କେହି ଟାର୍ଗେଟ କରୁଥିଲେ, ଆମେ ନିରବ ରହିପାରିବାନି। ନିଜର ଗୌରବକୁ ନେଇ ଭାରତ କେବେବି ସାଲିସ କରିପାରିବ ନାହିଁ।

ସେହିପରି ଚୀନ ନିଜର ସୀମାରେ ଅନେକ ଗୁଡ଼ିଏ ଭିତ୍ତିଭୂମିର ବିକାଶ କରିଛି। ଭାରତ ମଧ୍ୟ ଭିତ୍ତିଭୂମିକୁ ବିକାଶ କରିଛି। ସୀମାରେ ସୈନିକମାନେ ମୁତୟନ ଅଛନ୍ତି। ଆମେ କୌଣସି ଦେଶକୁ ଆକ୍ରମଣ କରିବା ପାଇଁ ଭିତ୍ତିଭୂମିର ବିକାଶ କରିନାହୁଁ। କିନ୍ତୁ ଆମ ଦେଶର ଲୋକଙ୍କର ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରିଛୁ।