ଶ୍ରୀଲଙ୍କାରେ ଜରୁରୀକାଳୀନ ସ୍ଥିତି: ଉଦବେଗ ପ୍ରକାଶ କଲେ ଆମେରିକା ଓ ବ୍ରିଟେନ

କଲମ୍ବୋ,ଏଜେନ୍ସି: ଆର୍ଥିକ ସଙ୍କଟ ନେଇ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ଯୋଗୁଁ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର। ଗତକାଲି ମଧ୍ୟରାତ୍ରୀରୁ ଏହି ଦେଶବ୍ୟାପୀ ଏମରଜେନ୍ସି କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତିକୁ ନେଇ ବ୍ରିଟେନ, ଆମେରିକା ସମେତ ଅନ୍ୟ କିଛି ୟୁରୋପୀୟ ଦେଶ ଉଦବେଗ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ଏପରି ଜରୁରୀ ସ୍ଥିତି ଘୋଷଣା କରିବା ଆର୍ଥିକ ସଙ୍କଟର ସମାଧାନ ଦିଗରେ କୌଣସି ଫଳପ୍ରଦ ନଷ୍ପତ୍ତି ହେବ ନାହିଁ। ଦକ୍ଷିଣ ଏସିଆର ଅନ୍ୟତମ ସଫଳ ଗଣତନ୍ତ୍ର ଭାବେ ଶ୍ରୀଲଙ୍କା ନିଜର ପରିଚୟ ସୃଷ୍ଟି କରିଛି। ବର୍ତ୍ତମାନ ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ନେଇ ଗତ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଶ୍ରୀଲଙ୍କାର ଅଧିବାସୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଆସୁଛନ୍ତି ଓ ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର ମଧ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କୁ ସ୍ବରକୁ ଦମନ କରିବା ପାଇଁ ଏପରି ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା କୌଣସି ସମାଧାନମୁଖୀ ନିଷ୍ପତ୍ତି ନୁହେଁ ବୋଲି ୟୁରୋପୀୟ ୟୁନିୟନର ପ୍ରିତିନିଧି ଟିମ କହିଛନ୍ତି।

ସେହିପରି ଶ୍ରୀଲଙ୍କାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଜୁଲି ଚୁଙ୍ଗ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଭାବିକ ଭାବେ ଗ୍ରହଣ କରିପାରିନାହାନ୍ତି। ଉଦବେଗ ପ୍ରକାଶ କରି ଜୁଲି କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ନାଗରିକ କଣ କହୁଛନ୍ତି, ସରକାର ତାହା ଶୁଣିବା ଆବଶ୍ୟକ ଓ ସମାଧାନ ଦିଗରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ। କିନ୍ତୁ ଏପରି ସ୍ଥିତିରେ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା ଉଚିତ ପଦକ୍ଷେପ ପରି ମନେ ହେଉନାହିଁ ବୋଲି ସେ କହିଛନ୍ତି। ସେହିପରି ସ୍ବିଜରଲାଣ୍ଡ, କାନାଡା ପରି ଦେଶ ମଧ୍ୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି। କେଉଁ ପରସ୍ଥିତିରେ ଶ୍ରୀଲଙ୍କା ସରକାର ଏହାକୁ ଜାରି କରିବା ପାଇଁ ଉଚିତ ମନେ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ଶ୍ରୀଲଙ୍କାରେ ଗତ ମାସ ଠାରୁ ଆର୍ଥିକ ସଙ୍କଟ ନେଇ ଆନ୍ଦୋଳନ ଲାଗି ରହିଛି। ସ୍ବାଧୀନତା ପରଠାରୁ ସବୁଠୁ ଉତ୍କଟ ଆର୍ଥିକ ସଙ୍କଟ ସାମ୍ନା କରୁଛି ଶ୍ରୀଲଙ୍କା। ଦେଶରେ ଖାଦ୍ୟ ସାମଗ୍ରୀ, ଶକ୍ତି, ଇନ୍ଧନ ଓ ବୈଦେଶିକ ମୁଦ୍ରା ଭଣ୍ଡାରରେ ଭୟଙ୍କର ଅଭାବ ସୃଷ୍ଟି ହୋଇଛି। ସରକାରଙ୍କ ଭୁଲ ଆର୍ଥିକ ନୀତି ଯୋଗୁଁ ଏପରି ସ୍ଥିତି ହୋଇଥିବା ଦର୍ଶାଇ ଦେଶବ୍ୟାପୀ ସରକାର ବିରୋଧୀ ପ୍ରତିବାଦ ମଧ୍ୟ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗତକାଲି ରାଷ୍ଟ୍ରପତି ଗାତାବାୟା ରାଜପାକସେ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି।