ବରଗଡ଼,ଏନ୍ଏନ୍ଏସ୍:କୋଭିଡ କଟକଣା ଯୋଗୁ ଧନୁଯାତ୍ରା ବାତିଲ କରାଯାଇଥିବାବେଳେ ଏହାକୁ ନେଇ ଵିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ଶୁକ୍ରବାର ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ କୋଭିଡ ନିୟମ ଅନୁସାରେ ଧନୁଯାତ୍ରା କରାଯିବା ସହ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରାଯାଉ ବୋଲି ଉଲ୍ଲେଖ କରାଯାଇଛି। ଧନୁଯାତ୍ରାରେ ଶହେରୁ ଉର୍ଦ୍ଧ କଳାକାର ଅଭିନୟ କରୁଥିବାବେଳେ ସେମାନେ ପାଉଥିବା ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ଧନୁଯାତ୍ରା ବନ୍ଦ ଯୋଗୁ ସେମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଜଡିତ ଧନୁଯାତ୍ରା କରିବାକୁ ଦାବି କରାଯାଇଛି । ଏହି ସମୟରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ସଭାପତି ଅଜିତ ପତି, ସ୍ୱରୂପ ମିଶ୍ର, ନରେଶ ପ୍ରଧାନ, ସୁମନ୍ତ କୁମାର ଶତପଥୀ ସମେତ ବହୁ କର୍ମକର୍ତ୍ତା ଉପସ୍ଥିିତ ଥିଲେ ।