ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ଏହାର ଫ୍ଲାଗସିପ୍ ସ୍ଥାୟୀ ଜୀବିକା ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟ ସମିତିର ସହଭାଗୀତାରେ ଝାରସୁଗୁଡ଼ାର ମା’ ସମାଲେଶ୍ୱରୀ ନଗରରେ ମହିଳାଙ୍କ ପାଇଁ ୩ ମାସର ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୩୦ରୁ ଅଧିକ ମହିଳା ୩ମାସ ପାଇଁ ଟେଲରିଂ ଟ୍ରେନିଂ ନେବେ। ଏହି କେନ୍ଦ୍ରରେ ଆସେସୋରିଜ୍ ସହିତ ୯ଟି ସିଲେଇ ମେସିନ୍ ସ୍ଥାପନ କରିବା ସହ ପ୍ରଶିକ୍ଷକଙ୍କୁ ଫେସ୍ ସୀଲଡ଼, ଗ୍ଲୋଭସ୍, ମାସ୍କ ଏବଂ ସାନିଟାଇଜର ପରି ପର୍ଯ୍ୟାପ୍ତ ପରିମାଣର କରୋନା ପିପିଇ ଦିଆଯାଇଛି। କେନ୍ଦ୍ରରେ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ସହିତ ସମସ୍ତ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଏହି ଅବସରରେ ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, ଭାରତରେ ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ବେଦାନ୍ତ ପ୍ରତିବଦ୍ଧ ଏବଂ ତୃଣମୂଳସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ଆମେ ସେହି ଦୃଷ୍ଟିକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଛୁ। ସ୍ଥାୟୀ ଜୀବିକା ନିର୍ବାହରେ ଆମର ଫ୍ଲାଗସିପ୍ ପ୍ରୋଜେକ୍ଟ, ମହିଳା ଶୁଭଲକ୍ଷ୍ମୀ ସମବାୟ ସମିତି ଏହି ଦିଗରେ ଆଗେଇ ଚାଲିଛି। ବାଣିଜ୍ୟ ଏବଂ ସମ୍ବଳ କ୍ଷେତ୍ରର ବିଭିନ୍ନ ଦକ୍ଷତାପୂର୍ଣ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଆମେ ମିଳିତ ଭାବେ କମ୍ପାନୀର ପରିପାର୍ଶ୍ୱିକ ଗ୍ରମାଞ୍ଚଳର ହଜାର ହଜାର ମହିଳାଙ୍କୁ କୁଶଳୀ ଏବଂ ଆର୍ôଥକ ରୂପେ ସଶକ୍ତ କରିବାକୁ ସକ୍ଷମ କରାଇଛୁ ବୋଲି ଶ୍ରୀ ସିଂ କହିଛନ୍ତି।
ସେହିପରି ୪ ହଜାର ସଦସ୍ୟତା ଆଧାର ସହିତ ଶୁଭଲକ୍ଷ୍ମୀ ହେଉଛି ଓଡ଼ିଶାର ଅନ୍ୟତମ ବୃହତ୍ତମ ଗ୍ରାମୀଣ ସମବାୟ ସମିତି। ଏହା ମହିଳାଙ୍କ ମଧ୍ୟରେ ନିରନ୍ତର ଜୀବିକା ସୁଯୋଗକୁ ପ୍ରୋତ୍ସାହିତ କରିବା ସହ ଦକ୍ଷତା ବିକାଶ ମାଧ୍ୟମରେ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାରେ ନିୟୋଜିତ ହୋଇଛି। ଗ୍ରାମୀଣ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ଅର୍ଥନୈତିକ କାର୍ଯ୍ୟକଳାପର ଅଗ୍ରଭାଗରେ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି।