ଟି-୨୦ ବିଶ୍ବକପ୍‌: ନେଦରଲାଣ୍ଡ ଭାରତ ମୁହାଁମୁହିଁ, ବିଜୟ ଧାରା ଲକ୍ଷ୍ୟରେ ରୋହିତ ବାହିନୀ

ସିଡନୀ,ଏଜେନ୍ସି: ଆଜି (ଗୁରୁବାର) ମୁହାଁମୁହିଁ ହେବେ ଭାରତ ଏବଂ ନେଦରଲାଣ୍ଡସ । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ୧୨ଟା୩୦ରେ ଏହି ମ୍ୟାଚ ଆରମ୍ଭ ହେବ । ଏହି ଦୁଇ ଦଳ ମଧ୍ୟରେ ପୂର୍ବରୁ ଦୁଇଟି ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟ ଲାଭ କରିଥିଲା । ଟି୨୦ ଫର୍ମାଟରେ ପ୍ରଥମ ଥର ଏହି ଦୁଇ ଦଳ ମଧ୍ୟରେ ମୁକାବିଲା ହେବ । ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ଭାରତ ଚଳିତ ଟି୨୦ ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ତେବେ ରୋହିତ ବାହିନୀ ଏହି ବିଜୟ ଧାରା ବଜାୟ ରଖିବା ନେଇ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ସେପଟେ ନେଦରଲାଣ୍ଡ ସୁପର ୧୨ ପର୍ଯ୍ୟାୟରେ ବାଂଲାଦେଶଠାରୁ ପରାସ୍ତ ହୋଇଛି । ତେଣୁ ସେ ମଧ୍ୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା ଜାରି ରଖିବ ।

ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ଚଳିତ ଟି୨୦ ବିଶ୍ବକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବିଶ୍ବକପର ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ମନୋବଳ ଦୃଢ ରହିଛି । ଦଳ ନେଦରଲ୍ୟାଣ୍ଡସକୁ ହାଲୁକା ଭାବରେ ନେବ ନାହିଁ । ଟିମ ଇଣ୍ଡିଆ ତାର ବିଜୟ ଅଭିଯାନକୁ ଜାରି ରଖିବାକୁ ଚେଷ୍ଟା କରିବ । ଅଧିନାୟକ ରୋହିତ ଶର୍ମାଙ୍କର ଲକ୍ଷ୍ୟ ରହିଛି କି ଦ୍ବିତୀୟ ମ୍ୟାଚରେ ଜବରଦସ୍ତ ବିଜୟ ସହିତ ରନ ରେଟ୍ ସୁଧାରିବା ଏବଂ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅକ୍ତିଆର କରିବା । ସେପଟେ ସିଡନୀ ପିଚ୍‌କୁ ବ୍ୟାଟିଂ ପାଇଁ ଉପଯୁକ୍ତ ବନା ଯାଇଛି । ଏଠାରେ କେବଳ ବ୍ୟାଟର ନୁହେଁ ସ୍ପିନରଙ୍କୁ ମଧ୍ୟ ଭରପୁର ଫାଇଦା ମିଳିପାରେ ବୋଲି ଆଶା କରାଯାଉଛି । ପୂର୍ବ ମ୍ୟାଚକୁ ଦେଖିଲେ କିଛି ଟେଷ୍ଟ ମ୍ୟାଚରେ ଏଠାରେ ସ୍ପିନରଙ୍କର ଦମଦାର ପ୍ରଦର୍ଶନ ରହିଥିଲା । ଏହି ପିଚ୍ ସ୍ପିନର ସହାୟକ ବୋଲି କୁହାଯାଉଛି ।