ଇରାନରେ ମସଜିଦରେ ଗୁଳିମାଡ, ୧୫ ମୃତ

ତେହେରାନ,ଏଜେନ୍ସି: ଇରାନରେ ରକ୍ତରଞ୍ଜିତ ହେଲା ମସଜିଦ । ଗତକାଲି ଇରାନ ସିରାଜ ସହର ସ୍ଥିତ ପବିତ୍ର ଶାହଚେରାଗ ମସଜିଦରେ ଗୁଳିମାଡ ହୋଇଛି । କିଛି ବନ୍ଧୁକଧାରୀ ମସଜିଦ ଭିତରେ ଆଖିବୁଜା ଗୁଳି ବର୍ଷଣ କରିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ରହିଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ସନ୍ଧ୍ୟା ପ୍ରାୟ ୫ଟା ୪୫ ସମୟରେ ମସଜିଦରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା । ଏହି ସମୟରେ ଶାହଚେରାଗ ମସଜିଦରେ ଲୋକେ ପ୍ରାର୍ଥନା କରୁଥିଲେ । ଠିକ୍ ଏତିକି ବେଳେ ୩ ଜଣ ବନ୍ଧୁକଧାରୀ ମସଜିଦ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ତେବେ ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ ଗ୍ରୁପ (ଆଇଏସ୍‌ଆଇଏସ୍‌) ନିଜକୁ ଦାୟୀ କରିଛି । ଏନେଇ ଆଇଏସ୍‌ଆଇଏସ୍‌ ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ବିବୃତ୍ତି ଜାରି କରିଛି ।

ଗୋଟିଏ ପଟେ ଦେଶରେ ମହସା ଅମିନିଙ୍କ ମୃତ୍ୟୁକୁ ନେଇ ମାସରୁ ଅଧିକ ସମୟ ହେଲାଣି ଆନ୍ଦୋଳନର ନିଆଁ ଜଳୁଛି । ପୁଲିସ ସହ ମୁହାଁମୁହିଁ ଯୋଗୁଁ ଏ ଯାଏଁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ସହ ଗିରଫ ହୋଇଛନ୍ତି । ଏସବୁ ଭିତରେ ଗତକାଲି ସନ୍ଧ୍ୟାରେ ଦେଶର ପ୍ରମୁଖ ମସଜିଦରେ ଏପରି ଘାତକ ଆକ୍ରମଣ ଚାରିଆଡେ ଆଲୋଡନ ଖେଳାଇଛି । ତେବେ ଏହି ବର୍ବର କାଣ୍ଡ ଘଟାଇଥିବା ଆତଙ୍କୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅନ୍ୟମାନେ ଫେରାର୍ ଅଛନ୍ତି । ବର୍ତ୍ତମାନ ଗିରଫ ଅଭିଯୁକ୍ତକୁ ପଚରାଉଚରା ଚାଲିଛି ।