ନ୍ୟୁଜିଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍‌; ନେତୃତ୍ୱ ନେବେ ରୋହିତ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ନଭେମ୍ବର ୧୭ରୁ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏଥିରେ ଭାରତୀୟ ଦଳର ନେତୃତ୍ୱ ଓପନର୍ ରୋହିତ ଶର୍ମା ନେବା ଏକରକମ ନିଶ୍ଚିତ। ଚଳିତ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିରାଟ କୋହଲି ଘୋଷଣା କରିଥିଲେ। ତେଣୁ ବିଶ୍ୱକପ୍ ପରେ ଏହି ଦାୟିତ୍ୱ ପୂର୍ବରୁ ଏକାଧିକ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେଇସାରିଥିବା ରୋହିତଙ୍କୁ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏନେଇ ନିକଟରେ ହେବାକୁ ଥିବା ବିସିସିଆଇର ବରିଷ୍ଠ କର୍ମକର୍ତ୍ତା ଓ ଚୟନ କମିଟି ସଦସ୍ୟଙ୍କ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ଏପରିକି ବିସିସିଆଇ ଦିନିକିଆ ମ୍ୟାଚ୍‌ରୁ ବି କୋହଲିଙ୍କୁ ଅଧିନାୟକ ପଦରୁ ବିତାଡ଼ିତ କରିବା ନେଇ ଯୋଜନା କରୁଥିବା ନିକଟତମ ସୂତ୍ରରୁ ଜଣାପଡ଼ିଛି। ଚଳିତ ଟି-୨୦ ବିଶ୍ୱକପ୍‌ରେ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅତି ଶୋଚନୀୟ ପ୍ରଦର୍ଶନ ଜାରି ରଖିଥିବାରୁ କୋହଲିଙ୍କ ହାତରୁ ସୀମିତ ଓଭର୍ ଅଧନାୟକ ପଦ ଯିବା ଏକରକମ ନିଶ୍ଚିତ ବୋଲି କୁହାଯାଇଛି। ଚଳିତ ବର୍ଷ ଭାରତର ଆଉ କୌଣସି ଦିନିକିଆ ସିରିଜ୍ ନ ଥିବା ବେଳେ ଆସନ୍ତା ବର୍ଷ ବି ଯଥେଷ୍ଟ କମ୍ ମ୍ୟାଚ୍ ରହିଛି। ତେବେ ଆଗାମୀ ବୈଠକରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଚୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଅଦ୍ୟାବଧି ରୋହିତ ଟି-୨୦ ଦଳର ନେତୃତ୍ୱ ନେବାକୁ ମନା କରିନାହାନ୍ତି। ତେଣୁ ସେ ନିଶ୍ଚିତ ଭାବେ ଅଧିନାୟକ ପଦ ସମ୍ଭାଳିବେ। ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥଢ଼ ଟି-୨୦ ସିରିଜ୍ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି। ତେବେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ହେବାକୁ ଥିବା କାନପୁର ଓ ମୁମ୍ବାଇ ଟେଷ୍ଟ୍‌ରୁ ରୋହିତ ବିଶ୍ରାମ ନେବାର ସମ୍ଭାବନା ପ୍ରକଟ କରାଯାଇଛି।