ଗ୍ଲାସଗୋ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଇସ୍ରାଏଲ ସମକକ୍ଷ ନଫତାଲୀ ବେନେଟଙ୍କ ମଧ୍ୟରେ ଗ୍ଲାସଗୋରେ ଅନୁଷ୍ଠିତ ସମ୍ମିଳନୀରେ ଦେଖାସାକ୍ଷାତ ହୋଇଛି। ଏହି ଭେଟ ସିଓପି-୨୬ ସମ୍ମିଳନୀ ମାଧ୍ୟମରେ ହୋଇଛି। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ନିଜର ଭାରତ ସମକକ୍ଷ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ପାର୍ଟିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ କରିଛନ୍ତି।
ଉଭୟ ଭାରତ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହୁଛନ୍ତି, ଆପଣ ଇସ୍ରାଏଲରେ ବହୁତ ଲୋକପ୍ରିୟ। ଆସନ୍ତୁ ଏବଂ ମୋର ପାର୍ଟିରେ ଯୋଗଦିଅନ୍ତୁ। ବେନେଟ ଏହା ପରେ ହସିଛନ୍ତି।
ସୂଚନାଯୋଗ୍ୟ ଯେ, ଉଭୟ ଭାରତ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ମୋଦୀ-ବେନେଟଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସୌଜନ୍ୟମୂଳକ ସାକ୍ଷାତକାର। ଚଳିତ ବର୍ଷ ଜୁନରେ ହୋଇଥିବା ନିର୍ବାଚନରେ ବେଞ୍ଜାମିନ ନେତନ୍ୟାହୁ ନିର୍ବାଚନରେ ହାରି ଯାଇଥିଲେ। ଏହା ପରେ ନଫତାଲୀ ବେନେଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିଲେ।