କଂଗ୍ରେସର ସ୍ୱାଭିମାନ ଅଞ୍ଚଳ ଗସ୍ତ: ସ୍ୱଚ୍ଛ ଭାରତ ମିଶନରେ ଅନିୟମିତତା ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନିଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳକୁ କଂଗ୍ରେସ ଦଳ ଗସ୍ତ କରିଛିି। ଏହି ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରିଣୀ ସଭାପତି ରାମ ପଟ୍ଟନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ଯୋଜନାରେ ହରିଲୁଟ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ, ପଣସପୁଟ ଅଞ୍ଚଳକୁ ଗସ୍ତ କରିଥିବାବେଳେ ରାସ୍ତା ନିର୍ମାଣ, ପାଇଖାନା ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଗତ ମାସରେ ତତ୍କାଳୀନ ଜିଲ୍ଲାପାଳ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ପାଇଖାନା ଦୁର୍ନୀତି ସମ୍ବନ୍ଧରେ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ପ୍ରଶାସନର କାଗଜପତ୍ରରେ ମୋଟ ୧୦,୯୯୮ଟି ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଯାଇଥିବା ବେଳେ ପ୍ରକୃତପକ୍ଷେ ସ୍ୱାଭିମାନ ଅଞ୍ଚଳରେ କେବଳ କିଛି ପାଇଖାନା ନିର୍ମାଣ କରି ପ୍ରଶାସନ ନିଜର କାର୍ଯ୍ୟ ସାରି ଦେଇଥିବା କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି। ଏସମ୍ବନ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।