ସନ୍ଦେହଜନକ ଭାବେ ମହିଳାଙ୍କ ଶବ ଉଦ୍ଧାର : କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କଲେ ସ୍ୱାମୀ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ାରେ ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇବା ପରେଟିଟିଲାଗଡ଼ ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ଓ ଏସଆଇ ସାବିତ୍ରୀ ହିକା ଏକ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବିକ, ଟିଟିଲାଗଡ଼ ସହରରେ ଆକାଶ ଫେନ୍ସି ନାମକ ଏକ ଦୋକାନର ମାଲିକ ଆନନ୍ଦ ଅଗ୍ରୱାଲ ଗତକାଲି ରାତି ପ୍ରାୟ୯ଟା ୩୦ ସମୟରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଘରେ ପହଞ୍ଚିବାର କିଛି ସମୟ ପରେ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲ(୫୦)ଙ୍କୁ ଖୋଜାଖୋଜି କରି ନ ପାଇବା ପରେ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ ବୋଲି ଗଣମାଧ୍ୟମଙ୍କୁ ଜଣାଇଛନ୍ତି। ଘରୁ କେହି ଚୋରି କରିବା ପରେ ସାବିତ୍ରୀଙ୍କୁ ମାରି କୂଅରେ ପକେଇ ଦେଇଥିବା ସନ୍ଦେହ ହେଉଥିବା ସ୍ୱାମୀ କହିଛନ୍ତି । ହେଲେ ଘରୁ କିଛି ଚୋରି ହୋଇଛି କି ବୋଲି ପ୍ରଶ୍ନ କରାଯିବାରୁ ଘରେ ଦେଖିବା ପରେ ତାହା କହିବି ବୋଲି କହିଛନ୍ତି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଅଧିକ ତଦନ୍ତ ପରେ ଘଟଣା ସମ୍ମ୍ପର୍କରେ ଜଣାପଡ଼ିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି ।