ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ଟେଭାପଦର ବିଦ୍ୟାଳୟରୁ ତାଲା ଓ ଝରକା କବାଟ ନଭାଙ୍ଗି ଏକାଥରେ ୪୫ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୋରିହୋଇଛି। ସପ୍ତାହେ ନିରବ ରହିଲେ ପ୍ରଧାନ ଶିକ୍ଷକ, କିନ୍ତୁ ସୁବଳୟା ପୁଲିସ ଚୋରି ଚାଉଳ ୪ ବସ୍ତା କିଣିବା ଅଭିଯୋଗରେ ଜଣକୁ ଗିରଫ କରି ଜେଲ ପଠାଇଥିଲା। ମାତ୍ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରିଥିବା ପ୍ରଧାନଶିକ୍ଷକଙ୍କୁ ସୁରକ୍ଷା ଦେଉଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପୁଲିସ।
ଗତକାଲି ତଦନ୍ତରେ ପକ୍ଷପାତିତା ହେଉଥିବା ନେଇ ଟେଭାପଦର ଗ୍ରାମବାସୀ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ। ଆଜି ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ତଦନ୍ତ ପାଇଁ ଆସିଥିଲେ ବିରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ସିଆରସିସି ଜମ୍ବେଶ୍ବର ଦୀପ୍ ଓ ସୁବଳୟା ପୁଲିସ। କେବଳ ସ୍କୁଲ୍ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ଭିତରକୁ ଛାଡିଥିଲେ ମାତ୍ର ଗ୍ରାମବାସୀଙ୍କୁ ନଛାଡି ଗେଟରେ ତାଲା ପକାଇ ଦେଇଥିଲେ। ଫଳରେ ତଦନ୍ତକୁ ନେଇ ସଂନ୍ଦେହ କରିଥିଲେ ଗ୍ରାମବାସୀ। କାହିଁକି ନା ୪୫ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ଖୋଦ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିର କିଛି ଲୋକ ସଂପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାମଲା ରଫାଦଫା ପାଇଁ ଶିକ୍ଷକ ଓ ଶିକ୍ଷାବିଭାଗର ବଡ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। ଏପରିକି ଚୋରି ଚାଉଳରେ ଶିକ୍ଷା ଅଧିକାରୀଙ୍କ ଭାଗ ଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ତଦନ୍ତକୁ ନେଇ ସ୍କୁଲ ସାମ୍ନାରେ କିଛି ସମୟ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତଦନ୍ତକୁ ନେଇ ବିରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାରଙ୍କୁ ଘେରିଥିଲେ ଗ୍ରାମବାସୀ। ସିଧାସିଧା ପଚାରିଥିଲେ କାହିଁକି ଚୁପ୍ ଶିକ୍ଷା ବିଭାଗ। କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ। ଦୋଷୀ ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁଙ୍କୁ କାହିଁକି ଘଣ୍ଟ ଘୋଡାଉଛି, ଏମିତି ସିଧା ସିଧା ପଚାରିଥିଲେ। ସ୍କୁଲ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଚୋରି ଘଟଣାରେ ସପୃକ୍ତ ଥିବା ଅଭିଯୋଗ ହୋଇଛି।
ସେପଟେ ଖୁଚୁରା ଚାଉଳ କିଣି ଜେଲ ଯାଇଥିବା ନରହରି ମହଲା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପ୍ରକୃତ ଦୋଷୀ ଓ ୪୫ ବସ୍ତା ଚାଉଳ ଚୋରି କରିଥିବା ବ୍ୟକ୍ତି ଏବେବି ବିନ୍ଦାସରେ ବୁଲୁଛି କେମିତି ବୋଲି ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଶ ସାହୁ ଚୋରଙ୍କ ସହ ମିଶି ଚୋରି କରିଛନ୍ତି। କାହିଁକି ନା ପ୍ରଧାନ ଶିକ୍ଷକ ପାଖରେ ହିଁ ମଧ୍ୟାହ୍ନ ଭୋଜନ ଚାଉଳ କୋଠରିର ଚାବି ଥିଲା। ତାଲା ଚାବି ନଭାଙ୍ଗି ବିଦ୍ୟାଳୟରୁ ଚାଉଳ ଚୋରି ହେଲା କେମିତି? ତେଣୁ ପ୍ରଧାନ ଶିକ୍ଷକଙ୍କ ଇସାରାରେ ହିଁ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ ହୋଇଛି। ତାଙ୍କ କଲ୍ ରେକର୍ଡ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ଅଭିଭାବକ।