ଆସନ୍ତା ୨୪ ତାରିଖରେ ଜାପାନ ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ସମ୍ମିଳନୀରେ ଭାଗ ନେବା ପାଇଁ ମେ’ ୨୪ରେ ଜାପାନ ଗସ୍ତ କରିବେ । ଏହି ଅବସରରେ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କୋଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଔ କିଶିଦାଙ୍କୁ ଭେଟିବେ । ବାଇଡେନଙ୍କ ସହ ମୋଦୀଙ୍କର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଏହା ହିନ୍ଦ ପ୍ରଶାନ୍ତ କ୍ଷେତ୍ର ଓ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ହିତ ପାଇଁ ଆଲୋଚନା କରିବା ଲାଗି ଅବସର ସୃଷ୍ଟି କରିବ । ଏହି ଗସ୍ତ ସମୟରେ ମୋଦୀ ଜାପାନର ବ୍ୟବସାୟୀ ମୁଖ୍ୟଙ୍କ ସହ ବ୍ୟବସାୟିକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏଥିସହିତ ଜାପାନରେ ଥିବା ଭାରତୀୟ ସମୁଦାୟକୁ ମଧ୍ୟ ଭେଟିବେ ଏବଂ ସେମାନଙ୍କୁ ସମ୍ବୋଧିତ କରିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ ।