କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ଜଙ୍ଗଲ ଦେଇ ଯାଇଥିବା ଏକ ରେଳ ଲାଇନ କଡ଼ରୁ ଆଜି ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ସେହି ଅଞ୍ଚଳର ରମ୍ପିଆ ଗ୍ରାମରେ ୪ ଜଣଙ୍କୁ ଏକ କଲରାପତରିଆ ବାଘ ଆକ୍ରମଣ କରିଥିବା ବେଳେ ଆଜି ବାଘର ମୃତଦେହ ମିଳିବା ଘଟଣା ବର୍ତ୍ତମାନ ସନ୍ଦେହ ସୃଷ୍ଟି କରିଛି। ତେବେ ଏହା ହତ୍ୟା ନା ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଛି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ଏହାଛଡ଼ା ରେଳବାଇଠାରୁ ମଧ୍ୟ ଟ୍ରେନ ଯାତାୟାତ ନେଇ ତଥ୍ୟ ସଂଗ୍ରହ କରାଯାଇଛି।

ଅନ୍ୟପଟେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରମ୍ପିଆ ଗ୍ରାମକୁ ଯାଇ ବାଘ ଆକ୍ରମଣର ପୀଡ଼ିତଙ୍କ ପରିବାରଙ୍କୁ ଭେଟିଛନ୍ତି। ଆହତଙ୍କୁ କ୍ଷତିପୂରଣ ଓ ଗାଁରେ ସୋଲାର ଫେନସିଂ ପାଇଁ ଦାବି କରିଛନ୍ତି ବିଧାୟିକା।