କଂଗ୍ରେସ ଛାଡ଼ିଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ। ସେ କଂଗ୍ରେସର ମହିଳା ଶାଖା ‘ସର୍ବ ଭାରତୀୟ ମହିଳା କଂଗ୍ରେସ’ର ସଭାପତି ମଧ୍ୟ ଥିଲେ। ସୁସ୍ମିତା କଂଗ୍ରେସରୁ ଇସ୍ତଫା ଦେବା ସହିତ ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେ କାହିଁକି କଂଗ୍ରେସ ଛାଡ଼ିଲେ, ସେ ନେଇ ଏହି ଚିଠିରେ ଉଲ୍ଲେଖ କରିନାହାନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଜନ ସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ସହିତ ଦଳ ଓ ଏହାର ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

୩୦ ବର୍ଷ ଧରି କଂଗ୍ରେସରେ ରହିଥିବା ସୁସ୍ମିତା ଦଳ ଛାଡ଼ିବେ ବୋଲି ଆଜି ସକାଳେ ସ୍ପଷ୍ଟ ହୋଇଥିଲା। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ନିଜ ବାବଦରେ ଦେଇଥିବା ସୂଚନା ବଦଳାଇ ଦେଇଥିଲେ। ଏଥିରେ ସେ ନିଜକୁ କଂଗ୍ରେସର ପୂର୍ବତନ ସଦସ୍ୟ ଭାବେ ଉଲ୍ଲେଖ କରିଛନ୍ତି। ଦଳରୁ ଇସ୍ତଫା ଦେବା ସହିତ ସେ ଦଳର ଏକ ହ୍ୱାଟ୍ସଆପ୍ ଗ୍ରୁପ୍‌ରୁ ମଧ୍ୟ ବାହାରି ଯାଇଥିବା ଜଣାପଡ଼ିଛି।

ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।