ରାଫେଲ ଦୁର୍ନିତିକୁ ସ୍ପଷ୍ଟକଲା ଫ୍ରାନ୍ସ ଜର୍ଣ୍ଣାଲ

ପ୍ୟାରିସ,ଏଜେନ୍ସି: ଭାରତୀୟ ବାୟୁସେନା ପାଇଁ କେନ୍ଦ୍ର ସରକାର ୫୯,୦୦୦ କୋଟି ଟଙ୍କା ବ୍ୟୟରେ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ନିକଟରୁ ୩୬ଟି ରାଫେଲ ବିମାନ କିଣିଛନ୍ତି। ତେବେ ଏହି ପ୍ରକ୍ରିୟାରେ ବ୍ୟାପକ ଲାଞ୍ଚ କାରବାର ହୋଇଛି ବୋଲି ପୂର୍ବରୁ ଅଭିଯୋଗ ଉଠିସାରିଛି। ଏହାକୁ ନେଇ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛନ୍ତି। ନିକଟରେ ଫ୍ରାନ୍ସର ଏକ ଜର୍ଣ୍ଣାଲ ‘ମିଡିଆପାର୍ଟ’ ପକ୍ଷରୁ ଏହି ଦୁର୍ନୀତି ସମ୍ପର୍କରେ ନୂତନ ତଥ୍ୟ ପ୍ରଦାନ କରାଯାଇଛି।

ଡାସଲ୍ଟ ପକ୍ଷରୁ ମଧ୍ୟସ୍ଥିଙ୍କୁ ୭୫ ଲକ୍ଷ ୟୁରୋ ଲାଞ୍ଚ ଦିଆଯାଇଥିବା ସମ୍ପର୍କରେ ସେମାନଙ୍କ ନିକଟରେ ପ୍ରମାଣ ରହିଛି ବୋଲି ଏହି ଜର୍ଣ୍ଣାଲ ଦାବି କରିଛି। ତେବେ ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡିକ ଏଭଳି ପ୍ରମାଣ ହାତେଇବାକୁ କୁଣ୍ଠାବୋଧ କରୁଥିବାରୁ ଜର୍ଣ୍ଣାଲ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଭାରତୀୟ ମଧ୍ୟସ୍ଥି ଜଣକ ହେଉଛନ୍ତି ସୁସେନ୍ ଗୁପ୍ତା। ୨୦୧୩ ପୂର୍ବରୁ କମ୍ପାନୀ ପକ୍ଷରୁ ଗୁପ୍ତାଙ୍କୁ ତାଙ୍କର ସିଙ୍ଗାପୁରରେ ଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଲାଞ୍ଚ ଦିଆଯାଇଛି ବୋଲି ଜର୍ଣ୍ଣାଲ ପକ୍ଷରୁ କୁହାଯାଇଛି।

୨୦୧୨ ମସିହାରେ ତତ୍କାଳୀନ ୟୁପିଏ ସରକାରଙ୍କ ଅମଳରେ ପ୍ରତ୍ୟେକ ରାଫେଲକୁ ୫୨୬ କୋଟି ଟଙ୍କାରେ କିଣିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ମୋଦୀ ସରକାର ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବିମାନକୁ ୧୬୭୦ କୋଟି ଟଙ୍କାରେ କିଣିଥିବାରୁ ଏହାକୁ ନେଇ ଭାରତରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।