ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି: ଏମ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇନାହିଁ । ବରଂ ସେ ଆତ୍ମହତ୍ୟା କରିଛନ୍ତି ବୋଲି ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଏକ ଡାକ୍ତରୀ ପ୍ୟାନେଲ୍ ସିବିଆଇକୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି । ସୁଶାନ୍ତଙ୍କ ତଣ୍ଟିଚିପି କିମ୍ବା ତାଙ୍କୁ ଜହର ଦେଇ ହତ୍ୟା କରାଯାଇଥିବା ସମ୍ପର୍କରେ ତାଙ୍କ ପରିବାର ଏବଂ ଓକିଲଙ୍କ ପକ୍ଷରୁ କରାଯାଉଥିବା ଦାବିକୁ ଏମ୍ସର ଡାକ୍ତରୀ ପ୍ୟାନେଲ ଖଣ୍ଡନ କରିଛି । ଏମ୍ସ ଡାକ୍ତରୀ ପ୍ୟାନେଲ୍ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଯାଞ୍ଚ ଶେଷ କରାଯାଇ ସିବିଆଇ ନିକଟରେ ରିପୋର୍ଟ ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ, ଜୁନ୍ ୧୪ରେ ପୁଲିସ ଦ୍ୱାରା ତାଙ୍କ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୁଲିସ ଦ୍ୱାରା ଆତ୍ମହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି ଦାବି କରିଥିଲେ । ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ଏମ୍ସ ଡାକ୍ତରୀ ପ୍ୟାନେଲ୍ ସହମତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଫାଶି ଲଗାଇବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ମୁମ୍ବାଇର କୁପର ହସ୍ପିଟାଲ୍ ଦ୍ୱାରା କରାଯାଇଥିବା ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ।