ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ କରତାରପୁର କରିଡର

ଇସଲାମାବାଦ,ଏଜେନ୍ସି: ପୁଣିଥରେ ଭାରତୀୟଙ୍କ ପାଇଁ ଖୋଲିବ ପାକିସ୍ତାନର କରତାରପୁର କରିଡର । ଦେଶର କୋଭିଡ୍ ସ୍ଥିତିରେ ସୁଧାର ଆସିଲେ କରତାରପୁର କରିଡରକୁ ଖୋଲିଦିଆଯିବ ଏବଂ ଶ୍ରଦ୍ଧାଳୁମାନେ ଯାଇ ଦର୍ଶନ କରିପାରିବେ ବୋଲି ପାକ୍ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୁରୁଦ୍ୱାରରେ ଦର୍ଶନ କରିବାକୁ ଅନୁମତି ମିଳିବ । ଏ ସମ୍ପର୍କରେ ପାକ୍ ଧର୍ମିକ ମାମଲା ସମ୍ପର୍କିତ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ତେବେ କରତାରପୁର କରିଡର ଅଞ୍ଚଳରେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଏଭଳି ସ୍ଥିତିରେ ଭାରତୀୟ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଧ୍ୟାନ ରଖାଯିବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଭାରତ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଏ ସମ୍ପର୍କରେ କହିଛନ୍ତି ଯେ, ଆମେ ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛୁ । ଭାରତ ତରଫରୁ କରିଡର ଖୋଲିବା ନିର୍ଣ୍ଣୟ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ନିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ପାଇଁ କରତାରପୁର କରିଡରରେ ତୀର୍ଥଯାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।