କୋଭିଡ ପରୀକ୍ଷା ବେଳେ ଶିଶୁ କନ୍ୟାକୁ ଜନ୍ମଦେଲେ ପ୍ରସୂତି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ପ୍ରସବ ପାଇଁ ଡାକ୍ତରଖାନାକୁ ଆସିଥିବା ଜଣେ ପ୍ରସୂତି କରୋନା ଟେଷ୍ଟ ସମୟରେଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମର ଲୋକନାଥ ମହାକୁଳଙ୍କ ସ୍ତ୍ରୀ ଭାରତୀ (୨୮)ଙ୍କୁ ଆଜି ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ରେଙ୍ଗାଲବେଡ଼ା ଗ୍ରାମର ଆଶା ଦିଦି ସୁଷମା ସାହୁଙ୍କ ସହାୟତାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଡାକ୍ତରଖାନାର ଅନ୍ତଃବିଭାଗରେ ଭର୍ତ୍ତି ପାଇଁ କୋଭିଡ ଟେଷ୍ଟ ଆବଶ୍ୟକ ହେବାରୁ ଭାରତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଅଳ୍ପ ଦୂରରେ ଥିବା ଇଣ୍ଡୋର ଷ୍ଟାଡିୟମକୁ ନିଆଯାଇଥିଲା। ସେଠାରେ ଭାରତୀଙ୍କ କରୋନା ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ପ୍ରସ୍ତୁତ ହେଉଥିବାବେଳେ ପରୀକ୍ଷା ପୂର୍ବରୁ ସେଠାରେ ଭାରତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣା ପରେ ଆଶା ଦିଦି ତୁରନ୍ତ ଉଭୟ ମା’ ଓ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୂରଦୂରାନ୍ତରୁ ଆସୁଥିବା ପ୍ରସୂତି ମହିଳା ହୁଅନ୍ତୁ କିମ୍ବା ଗୁରୁତର ରୋଗୀ କରୋନା ପରୀକ୍ଷା ପାଇଁ ଅନ୍ୟତ୍ର ଯିବାକୁ ପଡୁଥିବାରୁ କରୋନା ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ କାହାର ମୃତ୍ୟୁ ହେଉଥିବା ବେଳେ କାହାର ପ୍ରସବ ହୋଇଯାଉଥିବା ଦେଖିବାକୁ ମିଳିଛି । ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପ୍ରସୂତି ଓ ଗୁରୁତର ରୋଗୀଙ୍କ କୋଭିଡ ପରୀକ୍ଷା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।