ନୂତନ କୃଷି ଆଇନ ଦ୍ୱାରା ଚାଷୀ ଉପକୃତ ହେବେ: ସୁରେଶ ପୂଜାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନୂତନ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥକୁ ଖଣ୍ଡନ କରିବ ନାହିଁ। ଏହା କୃଷି ଜାତୀୟ ସମାଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଖଣ୍ଡନ କରିବ ନାହିଁ ବରଂ ଏହି ଆଇନ ଦ୍ୱାରା ଦେଶର ଚାଷୀ ଉପକୃତ ହେବେ। ସେମାନେ ଏବେ ଗୋଟିଏ ମଣ୍ଡିରେ କୃଷି ଜାତୀୟ ସାମଗ୍ରୀକୁ ବିକ୍ରି କରୁଥିବାବେଳେ ଏହି ନୂତନ ଆଇନ ବଳରେ ଦେଶର ବିଭିନ୍ନ ମଣ୍ଡିରେ ତାଙ୍କ ଉତ୍ପାଦକୁ ବିକ୍ରି କରି ପାରିବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ନୂତନ କୃଷିଆଇନରେ ବହୁ ମିଥ୍ୟା ତଥ୍ୟ ଯୋଡି ବିରୋଧୀମାନେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। କୃଷି ବିଲ ପାସହେଲା ଦିନ କେନ୍ଦ୍ର ସରକାର ୨୦ରୁ ଅଧିକ ଫସଲର ଏମଏସପି ଘୋଷଣା କରିଛନ୍ତି। ତେଣୁ ଏମଏସପି ଉଠିଯିବ ବୋଲି କହି କୃଷକଙ୍କୁ ବିଭ୍ରାନ୍ତ କରାଯାଉଛି। ସେହିପରି ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଯିବ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ମିଛ। ବଂର ଏହି ସରକାରୀ ମଣ୍ଡି ସହ ଆହୁରି ଅନେକ ମଣ୍ଡି ଯୋଡି ହେବ। ଅଧିକ ମାର୍କେଟ ୟାର୍ଡ ହେବାଦ୍ୱାରା ଚାଷୀକୁ ଧାନ ବିକ୍ରି କରିବା ପାଇଁ ସୁବିଧା ହେବ। ଚାଷୀକୁ ଯେଉଁଠି ନିଜ ଉତ୍ପାଦର ଅଧିକା ଦର ମିଳିବ ସେ ସେଠାରେ ନିଜ ଉତ୍ପାଦ ବିକ୍ରି କରିବ।

କେନ୍ଦ୍ର ସରକାର ଏକଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଧୁନିକ ମାର୍କେଟ ୟାର୍ଡ ତିଆରି କରିବେ। ଫଳରେ ଦେଶର ଚାଷୀ ଯେକୌଣସି ସ୍ଥାନରେ ନିଜର ଉତ୍ପାଦ ବିକ୍ରି କରି ପାରିବ। ସେହିପରି ଅଣ ରେଭିନ୍ୟୁ ଗ୍ରାମର ଚାଷୀମାନେ ମଧ୍ୟ ଧାନ ବିକ୍ରି କରି ପାରିବେ। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ଦିନେଶ ଜୈନ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।