- ନୂଆଦିଲ୍ଲୀ: କରୋନା ମହାମାରୀକୁ ଭାରତ ସରକାର ଯେପରି ପରିଚାଳନା କରିଛନ୍ତି ସେପରି ଅନ୍ୟ କୌଣସି ଦେଶ କରିପାରିନାହାନ୍ତି। ଆଜି କେନ୍ଦ୍ର ସରକାରଙ୍କ କୋଭିଡ୍ ପରିଚାଳନାକୁ କିଛି ଏଭଳି ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ। କରୋନାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଯୋଗାଇଦେବା ମାମଲାରେ ଶୁଣାଣି କରି କେନ୍ଦ୍ର ସରକାରଙ୍କ ପ୍ରଶଂସାର ସତମୁଖ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ।
- ମାମଲାର ଶୁଣାଣି କରି ବିଚାରପତି ମିଷ୍ଟର ଶାହ କହିଛନ୍ତି ‘ଆଜି ଆମେ ବହୁତ ଖୁସୀ। ଭାରତ ସରକାର ଯାହା କରିଛନ୍ତି ସେଥିରେ ପୀଡ଼ିତ ଲୋକଙ୍କ ପରିବାରକୁ ସାନ୍ତ୍ୱନା ମିଳିବ। ପୀଡ଼ିତଙ୍କ ଲୁହ ପୋଛାଯାଇ ପାରିବା ପାଇଁ କିଛି କରାଯାଇଛି।’
- ଜଷ୍ଟିସ୍ ଶାହ ଏବଂ ଜଷ୍ଟିସ୍ ବୋପନ୍ନା ମଧ୍ୟ ଭାରତର ଦ୍ୱିତୀୟ ଲହର ସମୟରେ ଭାରତର ତତ୍ପରତାକୁ ପ୍ରଶଂସା କରିଛନ୍ତି। ବିଚାରପତି କହିଛନ୍ତି ‘ଆମର ଜନସଂଖ୍ୟାକୁ ଦେଖିଲେ ଟିକାକରଣ ଖର୍ଚ୍ଚ ଏବଂ ଆର୍ôଥକ ସ୍ଥିତି ଓ ଯେଉଁ ପ୍ରତିକୁଳ ପରିସ୍ଥିତି ଆମେ ଦେଖିଛେ, ଏସବୁ କ୍ଷେତ୍ରରେ ଆମେ ଉଦାହରଣମୂଳକ ପଦକ୍ଷେପ ନେଇଛେ। ଏଭଳି ସ୍ଥିତିରେ ଯାହା ଭାରତ କରିଛି ତାହା ଅନ୍ୟ କୌଣସି ଦେଶ କରିପାରି ନଥାନ୍ତେ।’
- ସୂଚନା ଥାଉ କି, କରୋନାରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେବା ପାଇଁ ଏନଡିଏମଏ ସୁପାରିଶ କରିବା ପରେ ଏନେଇ ଗତକାଲି(ବୁଧବାର) ସୁପ୍ରିମକୋର୍ଟକୁ ଜଣାଇଥିଲେ କେନ୍ଦ୍ର ସରକାର। ଯେଉଁମାନେ କରୋନା ଯୋଦ୍ଧା ସାଜି ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରିବାକୁ ଏନଡିଏମଏ ସୁପାରିଶ କରିଥିଲା।