ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ସୁପ୍ରିମକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ଯାଞ୍ଚ ପାଇଁ ଆରଟି-ପିସିଆର ଟେଷ୍ଟର ନିର୍ଦ୍ଦିଷ୍ଟ ମୂଲ୍ୟ ସ୍ଥିର କରିବାକୁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। କରୋନା ଯାଞ୍ଚ ପାଇଁ କରାଯାଉଥିବା ଆରଟି-ପିସିଆର ଟେଷ୍ଟ ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ସଠିକ ରହିଥାଏ। କିନ୍ତୁ ଦେଶରେ ବିଭିନ୍ନ ସ୍ଥାନରେ ଏହି ଟେଷ୍ଟର ମୂଲ୍ୟ ୮୦୦ରୁ ୨୮୦୦ ପର୍ଯ୍ୟନ୍ତ ରହିଛି। ସେଥିପାଇଁ ସବୁଠି ଏହାର ମୂଲ୍ୟ ୪୦୦ ଟଙ୍କା ରଖିବା ଲାଗି ପିଟିସନ ଦାୟର ହୋଇଛି।
ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଯୋଗୁ ବିଗୁଡ଼ୁଥିବା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏକଦମ୍ ଆକ୍ସନ ମୋଡରେ ଅଛନ୍ତି। କେନ୍ଦ୍ର ସରକାର କରୋନା ଯାଞ୍ଚ ବଢ଼ାଇବା ଦିଗରେ ଏକ ବଡ଼ ପ୍ରୟାସ ଆରମ୍ଭ କରିଛନ୍ତି ଯଦ୍ୱାରା ଦିଲ୍ଲୀବାସୀ ଫ୍ରିରେ ଆରଟି-ପିସିଆର ଟେଷ୍ଟ କରାଇପାରିବେ। ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଦିଲ୍ଲୀସ୍ଥିତ ଆଇସିଏମଆରର କାର୍ଯ୍ୟାଳୟରେ ମୋବାଇଲ ଲ୍ୟାବ୍ସର ଉଦଘାଟନ କରିଛନ୍ତି। ଏହାଦ୍ୱାରା ଦିଲ୍ଲୀରେ ମୋବାଇଲ ଭ୍ୟାନ ଜରିଆରେ କରୋନା ଟେଷ୍ଟ କରାଯିବ।