ଗୁଣପୁରର ବିଜୟପୁରରେ ସୁପର ସ୍ପ୍ରେଡର ଦମ୍ପତି

ରାୟଗଡ଼ା,ଏନ୍ଏନ୍ଏସ୍: ସୁପର ସ୍ପ୍ରେଡର ବନିଲେ ଗୁଣପୁର ବିଜୟପୁରର ଦମ୍ପତି। ଗତ କିଛି ଦିନ ତଳେ ତାମିଲନାଡୁରୁ ଫେରିଥିବା ଦମ୍ପତିଙ୍କ ସଂସ୍ପର୍ଶରେ ଆସି ଆଜି ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି। ସେଥି ମଧ୍ୟରୁ ଜଣେ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି।

ସେହିଭଳି ଆଉ ୩ ଜଣ ରାୟଗଡା ସହର ରାଣିଗୁଡ଼ା ଫାର୍ମ ଅଞ୍ଚଳରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ରାୟଗଡା ବ୍ଲକ୍ ବାରିଝୋଲାରୁ ଜଣେ ତାମିଲନାଡୁ ଫେରନ୍ତା ଓ ରାମନାଗୁଡ଼ା ବ୍ଲକ୍ ଗୁଗୁପାଡୁରୁ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ଚିହ୍ନଟ ହୋଇଛନ୍ତି। ତେବେ ଗୁଣପୁର ଉପଖଣ୍ଡର ବିଜୟପୁର ଗାଁରୁ ପୂର୍ବରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ରିପୋର୍ଟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ଧରି ପୁରା ଗାଁ କଣ୍ଟେନମେଣ୍ଟ୍ ଜୋନରେ ଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା ପୌର ପରିଷଦରୁ ଜଣେ, ବାରିଝୋଲାରୁ ଜଣେ ଏବଂ ରାମନାଗୁଡ଼ା ବ୍ଲକ୍ ଗୋଗୁପାଡ଼ୁ ଗାଁରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ ତାମିଲନାଡୁରୁ ଫେରିବା ପରେ ବିଜୟପୁରର ଗୋଟିଏ ପରିବାରର ୩ ଜଣ ପୁଟାସିଂ ସଂଗରୋଧ କେନ୍ଦ୍ରରେ ଥିଲେ। ୧୪ ଦିନ ପରେ ଗାଁକୁ ଫେରିବା ପରେ ସେମାନଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସଂଗରୋଧ କେନ୍ଦ୍ରରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ ରହିଥିବା ବେଳେ ସେମାନେ ଗୁଣପୁର ବ୍ୟାଙ୍କ୍ ଓ ସହରର କିଛି ସ୍ଥାନକୁ ନିଜ କାମରେ ଯାଇ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏବେ ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗାଁର ୧୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସମସ୍ତଙ୍କୁ ଜେକେପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁଣପୁର ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜୟନଗରରେ କଣ୍ଟେନମେଣ୍ଟ ଜୋନ‌କୁ ବଳବତ୍ତର ରଖିଥିବା ବେଳେ ରାୟଗଡା ସହରର ରାଣୀଗୁଡ଼ା ଫାର୍ମର ମସଜିଦ୍ ଲେନ୍‌, ରାୟଗଡ଼ା ବ୍ଲକ୍‌ର ବାରିଝୋଲା ଗ୍ରାମକୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନ‌ମେଣ୍ଟ ଜୋନ ଘୋଷଣା କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।