ସନ୍‌ରାଇଜର୍ସ ସହଯୋଗୀ କୋଚ୍ କାଟିଚ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ୍ ୨୦୨୨ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍‌)କୁ ଶକ୍ତ ଧକ୍କା ଲାଗିଛି। ଟିମ୍‌ର ସହଯୋଗୀ କୋଚ୍ ତଥା ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସାଇମନ୍ କାଟିଚ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍ ମେଗା ଅକ୍ସନ୍‌ରେ ବେଶ୍ ମୋଟା ଦାମ୍‌ରେ କେତେକ ଖେଳାଳିଙ୍କୁ ଟିମ୍ ଖରିଦ୍ କରିବା ତାଙ୍କ ଇସ୍ତଫାର କାରଣ ବୋଲି କୁହାଯାଉଛି। ଟମ୍ ମୁଡି ଓ ମୁଥିୟା ମୁରଲିଧରନ୍ ମୁଖ୍ୟ କୋଚ୍ ଥିବା ହାଇଦ୍ରାବାଦ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ କାଟିଚ୍‌, ୱେଷ୍ଟଇଣ୍ଡିଜ୍‌ର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଓ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହେମାଙ୍ଗ ବଦାନୀଙ୍କୁ ସାମିଲ କରାଯାଇଥିଲା।

ଆଇପିଏଲ୍ ଅକ୍ସନ୍ ଶେଷ ହେବାର କେଇଦିନ ପରେ ଅସନ୍ତୁଷ୍ଟ କାଟିଚ୍ ପଦରୁ ଇସ୍ତଫା ଦେଇଥିଲେ। ଫ୍ରାଞ୍ଚାଇଜ୍ ପକ୍ଷରୁ କାଟିଚ୍‌ଙ୍କ ଇସ୍ତଫା ଗୃହୀତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ସାଇମନ୍ ହେଲ୍‌ମଟ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ୫୦ ବର୍ଷୀୟ ହେଲ୍‌ମଟ୍ ପୂର୍ବରୁ ୨୦୧୨ରୁ ୨୦୧୯ ପର୍ଯ୍ୟନ୍ତ ଦଳର କୋଚିଂ ଷ୍ଟାଫ୍‌ରେ ସାମିଲ୍ ଥିଲେ। ସେ ମଧ୍ୟ ସିପିଏଲ୍ ଟିମ୍ ତ୍ରିନିବାଗୋ ନାଇଟ୍ ରାଇଡର୍ସର କୋଚ୍ ଥିଲେ। ତାଙ୍କ କୋଚିଂରେ ଟିମ୍ ୨୦୧୫ରେ ଟାଇଟଲ୍ ଜିତିଥିଲା।

ଦୁଇ ମାସ ତଳେ ସନ୍‌ରାଇଜର୍ସ କୋଚିଂ ଷ୍ଟାଫ୍‌ରେ ଯୋଗଦେଇଥିବା କାଟିଚ୍ ପୂର୍ବରୁ ଦୁଇଟି ଆପିଏଲ୍ ଫ୍ରାଞ୍ଚାଇଜି କୋଲ୍‌କାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସପୋର୍ଟ ଷ୍ଟାଫ୍‌ରେ ଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇଦିନିଆ ଅକ୍ସନ୍‌ରେ ପୂର୍ବ ନିର୍ଦ୍ଧାରିତ ରଣନୀତିର ପାଳନ କରା ନ ଯିବାକୁ ନେଇ କାଟିଚ୍ ଅସନ୍ତୁଷ୍ଟ ଥିଲେ।