ଭୁବନେଶ୍ୱର,ଏଜେନ୍ସି: ଚଳିତ ଓଡ଼ିଶା ୱିମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ୍)ରେ ଶୁକ୍ରବାର ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଓଡ଼ିଶା ପୁଲିସ୍ ବୃହତ୍ ୬-୦ ବ୍ୟବଧାନରେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍କୁ ପରାସ୍ତ କରିଛି। କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜବାମଣି ଟୁଡୁ ଓ ସତ୍ୟବତୀ ଖାଡ଼ିଆ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ୨୩ତମ ମିନିଟ୍ରେ ସତ୍ୟବତୀ ଓଡ଼ିଶା ପୁଲିସ୍କୁ ଆଗୁଆ କରାଇଥିବା ବେଳେ ୨୫ତମ ମିନିଟ୍ରେ ଜବାମଣି ଏହି ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ।
ସେହିପରି ୫୩ତମ ମିନିଟ୍ରେ ଜବାମଣି ତାଙ୍କର ଦ୍ୱିତୀୟ ଗୋଲ୍ ଦେଇଥିଲେ। ପରେ ୫୯ତମ ମିନିଟ୍ରେ ସତ୍ୟବତୀ ମଧ୍ୟ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର୍ କରି ଓଡ଼ିଶା ପୁଲିସ୍କୁ ୪-୦ରେ ଆଗୁଆ କରାଇଥିଲେ। ପରେ ୭୪ତମ ମିନିଟ୍ରେ ଯଶୋଦା ମୁଣ୍ଡା ଦଳ ପକ୍ଷରୁ ପଞ୍ଚମ ଓ ୭୯ତମ ମିନିଟ୍ରେ ବଦଳ ଖେଳାଳି ସୋନି ବେହେରା ପେନାଲ୍ଟି କିକ୍ରୁ ଗୋଲ୍ ଅର୍ଜନ କରିବା ଫଳରେ ଓଡ଼ିଶା ପୁଲିସ୍ ୬-୦ରେ ଆଗେଇଥିଲା। ରାଇଜିଂ ଷ୍ଟୁଡେଣ୍ଟ୍ କୌଣସି ଗୋଲ୍ ଦେଇ ନ ପାରି ଶୋଚନୀୟ ପରାଜୟ ବରଣ କରିଥିଲା।
ସେହିପରି କ୍ୟାପିଟାଲ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ଦିନର ଅନ୍ୟତମ ମ୍ୟାଚ୍ରେ ସାଇ-ଏସ୍ଟିସି ଇଷ୍ଟ୍କୋଷ୍ଟ୍ ରେଲୱେଜ୍କୁ ୧-୦ରେ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୨୫ତମ ମିନିଟ୍ରେ ପାର୍ବତୀ ଯାଦବ ଏକମାତ୍ର ଗୋଲ୍ଟି ସ୍କୋର୍ କରିଥିଲେ। ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ସ୍ପୋର୍ଟ୍ସ ଓଡ଼ିଶା ୩-୦ ଗୋଲ୍ରେ ଓଜିପିକୁ ହରାଇଛି। ଏହି ମ୍ୟାଚ୍ରେ ୨୬ତମ ମିନିଟ୍ରେ ମାଳତୀ ମୁଣ୍ଡା, ୩୧ତମ ମିନିଟ୍ରେ ବଦଳ ଖେଳାଳି ସଙ୍ଗୀତା ଦାସ ଓ ୭୫ତମ ମିନିଟ୍ରେ ଅଧିନାୟିକା ବନ୍ୟା କବିରାଜ ଗୋଲ୍ଗୁଡ଼ିକ ସ୍କୋର୍ କରିଥିଲେ। ପ୍ରତିଯୋଗିତାରେ ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର କଳିଙ୍ଗ ଷ୍ଟାଡିୟମ୍ରେ ସାଇ-ଏସ୍ଟିସିକୁ ସ୍ପୋର୍ଟ୍ସ ଓଡ଼ିଶା, କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଓଡ଼ିଶା ପୁଲିସ୍କୁ ଇଷ୍ଟ୍କୋଷ୍ଟ୍ ରେଲୱେଜ୍ ଓ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍କୁ ଓଜିପି କ୍ଲବ୍ ଭେଟିବ।