ସୁଲତାନ ଜୋହର୍ ହକି କପ୍ : ଜାପାନଠାରୁ ହାରିଲା ଭାରତ

ଜୋହର ବାହରୁ(ମାଲେସିଆ),ଏଜେନ୍ସି : ଚଳିତ ସୁଲତାନ୍ ଜୋହର୍ କପ୍ ହକିରେ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ତୃତୀୟ ମୁକାବିଲାରେ ଏହା ବଜାୟ ରଖିବାରେ ବିଫଳ ହୋଇଛି। ଦଳ ମଙ୍ଗଳବାର ଜାପାନକୁ ଭେଟିଥିବା ବେଳେ ଏହି ମ୍ୟାଚରେ ୩-୪ରେ ପରାସ୍ତ ହୋଇଛି। ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରାରମ୍ଭରୁ ଜାପାନ ଅଗ୍ରଣୀ ଲାଭ କରିଥିଲା। ଦଳକୁ ମିଳିଥିବା ପ୍ରଥମ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଜାପାନକୁ ଆଗୁଆ କରାଇଥିଲେ ଡ୍ରାଗଫ୍ଲିକର୍ ୱତାରୁ ମାତସୁମୋତୋ ତୃତୀୟ ମିନିଟରେ ଭାରତ ପାଖରେ ଗୋଲ୍ ବରାବର କରିବାର ସୁଯୋଗ ଥିଲେ ମଧ୍ୟ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରାଙ୍କ ପେନାଲଟି କର୍ଣ୍ଣର୍ ଶଟକୁ ଜାପାନୀ ଗୋଲ୍କିପର୍ ତାକୁମି କିତାଗାୱା ରୋକିଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ୨୨ତମ ମିନିଟରେ କୋସେଇ କାୱାବେ ପେନାଲିଟି କର୍ଣ୍ଣରରୁ ଗୋଲ୍ କରି ଜାପାନକୁ ୨-୦ରେ ଆଗୁଆ କରାଇଥିଲେ।

ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଜାପାନ ଅଗ୍ରଣୀକୁ ବଜାୟ ରଖିଥିଲା। ତୃତୀୟ କ୍ୱାର୍ଟରଟି ବେଶ୍ ଘଟଣାବହୁଳ ଥିଲା। ଏହି ୧୫ ମିନିଟରେ ଭାରତ ଓ ଜାପାନ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ପ୍ରଥମେ ମନଦୀପ ମୋରଙ୍କ ସହାୟତାରେ ଗୁରସାହିବଜିତ୍ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ତେବେ ଦୁଇ ମିନିଟ୍ ମଧ୍ୟରେ କେଇତା ୱାତାନାବି ଜାପାନକୁ ମିଳିଥିବା ପଞ୍ଚମ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ୩୭ତମ ମିନିଟରେ କୋସେଇ କାୱାବି ଚତୁର୍ଥ ଗୋଲ୍ ଦେବା ଫଳରେ ଭାରତ ୧-୪ରେ ପଛୁଆ ରହିଥିଲା। ଅବଶ୍ୟ ପରବର୍ତ୍ତୀ ମିନିଟରେ ଶର୍ଦାନନ୍ଦ ତିୱାରୀ ଗୋଟିଏ ଗୋଲ୍ ଦେଇ ୨-୪ରେ ପଛୁଆ ରହି ଫାଇନାଲ୍ କ୍ୱାର୍ଟରକୁ ଯାଇଥିଲା। ଶେଷ ୧୫ ମିନିଟରେ ଜାପାନକୁ ଟପିବା ସକାଶେ ଭାରତୀୟ ଖେଳାଳିମାନେ ବେଶ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିଲେ। ୫୩ତମ ମିନିଟରେ ପ୍ରତାପ ପେନାଲଟି କର୍ଣ୍ଣରରୁ ଗୋଲ୍ ଦେଇ ବ୍ୟବଧାନକୁ କମାଇଥିଲେ। କିନ୍ତୁ ଏହାପରେ ଆଉ କୌଣସି ଗୋଲ୍ ଦେଇନ ପାରିବାରୁ ଭାରତ ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଥିଲା। ଦଳ ତା’ର ପରବର୍ତ୍ତୀ ମ୍ୟାଚ୍ ବୁଧବାର ଅଷ୍ଟ୍ରେଲିଆ ସହ ଖେଳିବ।