ଚାକିରି ପାଇଁ ଘୁରି ବୁଲୁଛନ୍ତି ସୁଲତା

ବରଗଡ଼,ଏନ୍ଏନ୍ଏସ୍: ସ୍ୱାମୀଙ୍କ ମୃତ୍ୟୁପରେ ପିଅନ ପଦବୀ ପାଇଁ ଚାରି ବର୍ଷର ଶିଶୁକୁ ଧରି ଅଫିସ ଅଫିସ ଘୁରି ବୁଲୁଛି ବିଧବା ସୁଲତା ଅମାତ। ହେଲେ କେହି ସୁଲତାଙ୍କ ନିବେଦନକୁ କର୍ଣ୍ଣପାତ କରୁ ନଥିବା ପରିଲକ୍ଷିତ ହେଉଛି। ସୂଚନା ଯୋଗ୍ୟ ବରଗଡ଼ ସଦର ବ୍ଲକ କୁରୁଆଁ ଗ୍ରାମର ସୁଲତା ଅମାତଙ୍କ ସ୍ୱାମୀ ସ୍ୱର୍ଗତ ମୀନକେତନ ଅମାତ ୧୯୯୭ ମସିହାରୁ କୁରୁଆଁ ଗ୍ରାମରେ ଥିବା ଉମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବରେ କାମ କରିଆସୁଥିଲେ। ଗତ ୨୦୧୮ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା। ମୀନକେତନଙ୍କ ମୃତ୍ୟୁପରେ ବେସାହାରା ହୋଇପଡିଛନ୍ତି ସୁଲତା । ତାଙ୍କ ସ୍ୱାମୀ କରୁଥିବା ପିଅନ ଚାକିରି କରି ନିଜେ ଏବଂ ପୁଅର ଲାଳନ ପାଳନ ପାଇଁ ଆଶା ରଖିଥିଲେ ସୁଲତା । ମାତ୍ର ସୁଲତାଙ୍କୁ ସ୍କୁଲରେ ଚାକିରି ମିଳି ନଥିଲା। ଯାହାକୁ ନେଇ ସୁଲତା ଚାରି ବର୍ଷର ପୁଅକୁ ଧରି ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି। ତେବେ ବିଧବା ସୁଲତାଙ୍କ ନିବେଦନକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।