ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଜିଲ୍ଲା କୃଷକ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାସହ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନ କୃଷକ ବିରଧୀ ହୋଇଥିବାରୁ ସରକାର ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲାର କୃଷକମାନେ ଦାବି କରିଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନକରିବେ ତେବେ ଚାଷୀମାନେ ଆନ୍ଦୋଳନ ପରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷକ ସଂଗଠନର ଏହି ଧାରଣାକୁ ଜିଲ୍ଲା କଂଗ୍ରେସ, କମ୍ୟୁନିଷ୍ଟ ଦଳ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଆମ ଆଦମି ପାର୍ଟି, ଲୋକମୁକ୍ତି ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି। ଏହି ଅବସରରେ ଚାଷୀ ନେତା ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ସୁରେନ୍ଦ୍ର ସାହୁ, ଭରତ ଅବସ୍ତି, ସାରଙ୍ଗଧର ମିଶ୍ର, ଦୁଷ୍ୟନ୍ତ ଲୋକଚନ୍ଦାନୀ, ପ୍ରଭାକର ଓରାମ, ଅନନ୍ତ ପଣ୍ଡା ଓ ରକ୍ଷାକର ଅନୁପମ ପ୍ରମୁଖ ଉପସ୍ଥିତ ଥିଲେ।