ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ଚନ୍ଦାହାଣ୍ଡି ବ୍ଲକ୍ ଶରଧାପୁର ପଞ୍ଚାୟତ ଝରାବାହାଳ ଗ୍ରାମର ଅର୍ଜୁନ ଗୌଡଙ୍କ ପୁଅ ନୀଳାମ୍ଭର ଗୌଡ(୧୯) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନୀଳାମ୍ଭର ଗତକାଲି ରାତିରେ ଘରୁ ବହାରି ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ। ପରେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଏକ ଗଛ ମୂଳେ ସଂଜ୍ଞାହୀନ ଅବସ୍ଥାରେ ସେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ମନିଷ କୁମାର ପୁରୋହିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ କୀଟନାଶକ ପିଇଥିବା ଜଣାପଡ଼ିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନୀଳାମ୍ଭରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଥାନାକୁ ଖବର ଦେବାରୁ ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସମୀର କୁମାର ପ୍ରଧାନ, ଏଏସଆଇ ରମେଶ ପାତ୍ର, କନଷ୍ଟେବଳ ନବୀନ ଚନ୍ଦ ପୂଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏଥିସହ ୟୁଡି କେସ୍ ନଂ-୧୭/୨୦ ଅନୁସାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଦାୟିତ୍ୱ ଏଏସଆଇ ରମେଶ ପାତ୍ରକୁ ଦେଇଥିବା ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।