ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ମରାକୁଟାଠାରେ ଏକ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ପ୍ରେମିକ ଜଣକ ପ୍ରାଣ ହରାଇଥିବାବଳେ ପ୍ରେମିକା ଜଣକ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମୃତ ପ୍ରେମିକ ଜଣକ ଲଖନପୁର ବ୍ଲକ ଉବୁଡ଼ା ଗ୍ରାମର ଗୋବର୍ଦ୍ଧନ ଓରାମ(୩୦) ଏବଂ ପ୍ରେମିକା ଜଣକ ମରାକୁଟା ଅଞ୍ଚଳର ଜଣେ ଯୁବତୀ ବୋଲି ପୁଲିସ ସୂଚନା ଦେଇଛି।
ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମ ସାଲେଟିକ୍ରା ପାଖରେ ଶୁକ୍ରବାର ସଂଧ୍ୟାରେ ଏକ ବୁଦା ମୂଳେ ଗୋବର୍ଦ୍ଧନ ଓରାମ(୩୦)ଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ପେର ସଦର ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ହେଲେ ପୁଲିସ ପହଞ୍ଚୁ ପହଞ୍ଚୁ ସଂଧ୍ୟା ହୋଇଯିବା ସହ ଗୋବର୍ଦ୍ଧନଙ୍କ ପରିବାର ଲୋକେ ପାଖରେ ନଥିବାରୁ ପୁଲିସ ଶବ ଉଦ୍ଧାର କରିପାରି ନଥିଲା। ତେଣୁ ଆଜି ସକାଳେ ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଗୋବର୍ଦ୍ଧନଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରକାଶଯୋଗ୍ୟ, ଗୋବର୍ଦ୍ଧନ ଏବଂ ତାଙ୍କ ପ୍ରେମିକା ମଙ୍ଗଳବାର ରାତିରୁ ଘର ଛାଡ଼ି ଫେରାର ହୋଇଯାଇଥିଲେ। ହେଲେ ସେମାନେ ଦୂରକୁ ନଯାଇ ମରାକୁଟା ପାଖରେ ଏକ ବୁଦାଳିଆ ନିଛାଟିଆ ସ୍ଥାନରେ ରହି ଯାଇଥିଲେ। କୁଆଡ଼େ ଯିବେ, କ’ଣ କରିବେ ତାହା ସ୍ଥିର କରି ନପାରି ଉଭୟେ ଗତକାଲି ବିଷପାନ କରିଥିଲେ। ଦୀର୍ଘ ସମୟ ପରେ ବିଷର ପ୍ରତିକ୍ରିୟା ହେବାରୁ ସଂଧ୍ୟାରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଯୁବତୀ ଜଣକ ଆଉ ସହ୍ୟ କରି ନପାରି ଘରକୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତି କରାଇଥିଲେ। ଉଭୟଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ସ୍ୱୀକୃତି ନ ଦେବାର ଆଶଙ୍କାରେ ପ୍ରେମୀ ଯୁୁଗଳ ଏଭଳି ଚରମ ନିଷ୍ପତି ନେଇଥିବା କୁହାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଛି।