ପୁଲିସର ନିଷ୍କ୍ରିୟତା ଯୋଗୁଁ ପୀଡ଼ିତାଙ୍କ ଆତ୍ମହତ୍ୟା

ଢେଙ୍କାନାଳ,ଏନ୍ଏନ୍ଏସ୍: ଅଭିଯୋଗ ସତ୍ତେ୍ୱ ପୁଲିସ ଶୁଣିଲାନି। ଜଣେ ଯୁବକର ବାରମ୍ବାର ଅସଦାଚରଣ ଅସହ୍ୟ ହୋଇପଡିବାରୁ ଜଣେ ୧୭ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦର ବ୍ଲକ ଦୀନବନ୍ଧୁପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସୁବାସ ମୁଦୁଲି ନାମକ ଜଣେ ବିବାହିତ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ବାରମ୍ବାର ଅଶାଳୀନ କମେଣ୍ଟ କରୁଥିଲା। ଏପରିକି ଗତ ୧ ତାରିଖରେ ବାପା ମାଆଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସୁବାସ ତାଙ୍କ ଘରେ ପଶି ସମ୍ପୃକ୍ତ ନାବାଳିକାଙ୍କୁ ଅଶାଳୀନ ବ୍ୟବହାର କରିଥିଲା। ଏ ସମ୍ପର୍କରେ ପରିବାର ପକ୍ଷରୁ ଗ୍ରାମସଭାରେ କଥା ପକାଇ ବିଫଳ ହେବା ପରେ ୬ ତାରିଖରେ ସଦର ଥାନା ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଫାଣ୍ଡି ଅଧିକାରୀ ଅଭିଯୁକ୍ତ ସୁବାସକୁ ଫାଣ୍ଡିକୁ ଡାକି ମାମଲାକୁ ରଫାଦଫା କରି ଦେଇଥିବା ଅଭିଯୋଗ ହୋଇଛି। ଥାନାରୁ ମାମଲା ରଫାଦଫା ହେବାପରେ ସୁବାସ ପ୍ରତିଶୋଧ ପରାୟଣ ହୋଇ ୨୮ ତାରିଖରେ ସମ୍ପୃକ୍ତ ନାବାଳିକାଙ୍କୁ ପୁନର୍ବାର ଅସଦାଚରଣ କରିଥିଲେ। ପୁଲିସଠୁ ନ୍ୟାୟ ନପାଇ ନାବାଳିକା ଜଣକ ହତାଶ ହୋଇପଡିବା ସହ ଲୋକଲଜ୍ୟା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ତାଙ୍କ ବଡ ଭଉଣୀ ଓ ପଡୋଶୀମାନେ ଅଭିଯୋଗ କରିଛନ୍ତି।