ନିର୍ମାଣାଧୀନ ପୋଲର ରାତି ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବୁଢ଼ାବଳଙ୍ଗ ନଦୀର ପ୍ରତାପପୁର ଘାଟରେ ନିର୍ମାଣାଧୀନ ପୋଲର ରାତି ଜଗୁଆଳିଙ୍କ ଗତକାଲି ରାତିରେ ପୋଲ ନିକଟରେ ଆକସ୍ମିକ ମୃତ୍ୟୁ ଘଟିଥିବା ଜାଣାପଡ଼ିଛି। ମୃତ ଜଗୁଆଳି ପ୍ରତାପପୁର ଗ୍ରାମ ବଙ୍ଗଳା ସାହିର ବାଇଧର ସିଂ (୪୮) ବୋଲି ଜଣାପଡ଼ିଛି। ବାଇଧର ଉକ୍ତ ନିର୍ମାଣାଧୀନ ପୋଲରେ ରାତ୍ର ଜଗୁଆଳି ଭାବେ କାମ କରିଆସୁଥିଲେ। ସବୁଦିନ ଭଳି ଗତକାଲି ମଧ୍ୟ ସନ୍ଧ୍ୟାରେ ପୋଲ ଜଗିବାପାଇଁ ଘାଟକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ବାଇଧର ତଳେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଅନ୍ୟ ଶ୍ରମିକମାନେ ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ସଙ୍ଗେସଙ୍ଗେ ବଡ଼ସାହି ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତର ଖାନାରେ ପହଞ୍ଚି ଶବ ଜବତ କରିଥିଲା। ଆଜି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି। ମୃତକଙ୍କ ପରିବାରକୁ ପୋଲ ନିର୍ମାଣ କରୁଥିବା ସଂସ୍ଥା ସହାୟତା ରାଶି ଯୋଗାଇଦେବାକୁ ଦାବି ହୋଇଛି।