ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପରଜା ସାହିର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତରୁଣ ନାଗଙ୍କ ବିଧବା ପତ୍ନୀ ରାମା ଗୌଡ଼କୁ ଥଇଥାନ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ତରୁଣ ଗତମାସ ୧୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନକ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ ତରୁଣଙ୍କ ପତ୍ନୀ ରାମା ଗୌଡ଼ଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏତଦବ୍ୟତୀତ ତରୁଣଙ୍କ ମୃତ୍ୟୁଦିନ ହିଁ ରାମାଙ୍କୁ ରେଡକ୍ରସ୍ ପାଣ୍ଠିରୁ ଜିଲ୍ଲା ପ୍ରଶାସନ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ସେହିପରି ଦୟନୀୟ ଅବସ୍ଥାରେ ଥିବା ଆଉ ୩ଜଣ ବିଧବା ଓ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମଧ୍ୟ ଥଇଥାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୁନାବେଡ଼ା ଡି.ପି.କ୍ୟାମ୍ପର ସୁକୋମଳ ହାଲଦାରଙ୍କ ପତ୍ନୀ ଦୁଲାଳି ହାଲଦାରଙ୍କୁ ୨୦ ହଜାର, ଦଶମନ୍ତପୁରସ୍ଥିତ ଆଶ୍ରୟ ଗୃହରେ ରହୁଥିବା ଘାସି ହରିଜନଙ୍କ ପତ୍ନୀ ମାୟାବତୀ ଖରାଙ୍କୁ ୧୦ ହଜାର, ବୈପାରିଗୁଡ଼ା ବ୍ଲକ୍ ଭାଲୁଗୁଡ଼ା ଗ୍ରାମର ଲଚ୍ଛମନ ତନ୍ତ୍ରୀଙ୍କ ପତ୍ନୀ ତୂଳସା ତନ୍ତିଙ୍କୁ ୨୦ ହଜାର ଓ ଲମତାପୁଟ ବ୍ଲକ୍ ଗୋଡିହଂଜର ଗ୍ରାମର ଦିବ୍ୟାଙ୍ଗଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପି କେ ସାମଲ ଉପସ୍ଥିତ ଥିଲେ।