ଜୋନାଲସ୍ତରୀୟ ସମୀକ୍ଷା ବୈଠକ ପାଇଁ ଝାରସୁଗୁଡ଼ାରେ ସୁବ୍ରତ ବାଗଚି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ ପାଇଁ ଆଜି ଓଡ଼ିଶା ସ୍କିଲ ଡେଭଲେପମେଣ୍ଟ ଅଥୋରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଦିନିକିଆ ଝାରସୁଗଡ଼ା ଗସ୍ତ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଦେବଗଡ଼ ଓ ବରଗଡ଼ ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। କରୋନା ଯୋଗୁ ଭୁଷୁଡ଼ି ପଡ଼ିଥିବା ଆଇଟିଆଇ ଓ ଡିପ୍ଲୋମାର ଶିକ୍ଷା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯିବ ସେନେଇ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ବାଗଚି କହିଛନ୍ତି ଯେ, କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥାରେ ବହୁ ବାଧା ସୃଷ୍ଟି ହୋଇଛି। ଆଇଟିଆଇ କରୁଥିବା ପିଲାଙ୍କର ୨ ବର୍ଷ ମଧ୍ୟରୁ ୯ ମାସ ଏବଂ ଡିପ୍ଲୋମା କରୁଥିବା ପିଲାଙ୍କ ୩ ବର୍ଷରୁ ୯ ମାସ କରୋନା ଛଡ଼ାଇ ନେଇଛି। ଏହି ୯ ମାସର ଶିକ୍ଷାକୁ ପିଲାଙ୍କୁ କିପରି ପୁଣି ପ୍ରଦାନ କରାଯାଇ ତାଙ୍କର ଦକ୍ଷତା ବିକାଶ କରାଯାଇ ପାରିବ ସେଥିପ୍ରତିି ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ସଠିକ ଯୋଜନା କରି ପିଲାଙ୍କୁ ଶିକ୍ଷାଦାନ କରାଗଲେ କରୋନା ଛଡ଼ାଇ ନେଇଥିବା ୯ମାସର ଶିକ୍ଷାକୁ ପ୍ରଦାନ କରାଯାଇ ତାଙ୍କର ଦକ୍ଷତା ବିକାଶ କରାଯାଇ ପାରିବ ବୋଲି ଶ୍ରୀ ବାଗଚି କହିଛନ୍ତି। ଏହି ଦକ୍ଷତା ବିକାଶ ଆଲୋଚନାରେ ଅଧ୍ୟକ୍ଷ ଅଧ୍ୟକ୍ଷାମାନେ କୋଭିଡ ସମୟରେ ତାଙ୍କର ପାଠପଢ଼ା କିପରି ଚାଲିଥିଲା ଏବଂ ପରେ କିପରି ଚାଲିବ ସେନେଇ ବାଗଚିଙ୍କୁ ଅବଗତ କରାଇଥିଲେ। ବାଗଚିଙ୍କ ସହ ଆଜିର ଆଲୋଚନାରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀମାନେ ଉପସ୍ଥିତ ଥିଲେ।