ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ବେଲପଡ଼ା ବ୍ଲକର ସୁଲେକେଲା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ପକ୍ଷୀରାଜ ଦଲେଇ ସ୍ଥାନୀୟ ଦାଦନ ସର୍ଦ୍ଦାର ମୁଦାମ ବୁଡ଼େକଙ୍କଠାରୁ ୭୦ ହଜାର ଟଙ୍କା ଗ୍ରହଣ କରି ପରିବାର ସହ ହାଇଦ୍ରାବାଦକୁ ଇଟା କାମ କରିବାକୁ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ପକ୍ଷୀରାଜଙ୍କ ସ୍ତ୍ରୀ ସ୍ନେହସିଲା ଦଲେଇଙ୍କ ଦେହ ଅସୁସ୍ଥ ହୋଇଥିଲା । ଇଟା ଭାଟି ମାଲିକ ଠିକ ଭାବେ ଚିକିତ୍ସା କରିନଥିବାରୁ ତା’ର ମୃତ୍ୟୁ ହୋଇଥିବା ସ୍ୱାମୀ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସୁଲେକେଲା ଗ୍ରାମବାସୀ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ମୃତ ସ୍ନେହସିଲାର ଶବ ରଖି କ୍ଷତିପୂରଣ ଦାବୀ ନେଇ ଧାରଣାରେ ବସିଥିଲେ । ଖବର ପାଇ ଉପଜିଲ୍ଲାପାଳ ତୁରନ୍ତ ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡା ଓ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ସାହୁଙ୍କୁ ଧାରଣାସ୍ଥଳକୁ ସମାଧାନ ପାଇଁ ପଠାଇଥିଲେ । ଅନ୍ୟପଟେ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଶ୍ରମ ଅଧିକାରୀଙ୍କୁ ଡକାଇ ଏକ ଶ୍ରମିକ ମାମଲା କରିବା ପାଇଁ ନିର୍ଦ୍ଦେଶ ଦେବାସହ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଓ ଏନଏଫବିଏସ ପାଣ୍ଠିରୁ ୧୫ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣରୁ ଉଠିଥିଲେ । ଏହି ବିକ୍ଷୋଭ ସମୟରେ କୋଶଳ ମୁକ୍ତି ମୋର୍ଚ୍ଚାର ସିପୁନ ଖମାରୀ, ଗିରିଧାରୀ ଭୋଇ ଓ ଡିଙ୍ଗର କୁମ୍ଭାର ସାମିଲ ଥିଲେ ।