ପାଟଣାଗଡ଼,ଏନ୍ଏନ୍ଏସ୍: ଉପଖଣ୍ଡ ଅନ୍ତର୍ଗତ ଲାଠୋରରେ ସ୍ଥାପିତ ମୁଖ୍ୟ କାର୍ଯ୍ୟାଳୟ ଲିବରାଲ ଡେମୋକ୍ରାଟିକ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବୀ ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଜଣାପଡ଼ିଛି । ଆସୋସିଏସନର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ସହସ୍ରାଧିକ ପୁରୁଷ ଓ ମହିଳା ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଗରିବ ଓ ଖଟିଖିଆଙ୍କୁ ସୁରକ୍ଷା ଯୋଗାଇ ଦେବା ପରିବର୍ତ୍ତେ ମନଇଚ୍ଛା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦର୍ଶାଇ ଆସୋସିଏସନ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା । ଯେଉଁଭଳି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗରୀବଙ୍କ ଘର ଭାଙ୍ଗି ସେମାନଙ୍କୁ ଉଚ୍ଛେଦ କରାଯାଉଛି ତାହା ସମ୍ବିଧାନ ବିରୋଧୀ ଏବଂ ଏହାଦ୍ୱାରା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଶ୍ରୀ ସୁନା ପ୍ରକାଶ କରିଥିଲେ । ଏହାବ୍ୟତୀତ ଆନ୍ଦୋଳନକାରୀମାନେ ୭ ଦଫା ଦାବୀ ସମ୍ବିଳିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଉକ୍ତ ସ୍ମାରକପତ୍ର ଗ୍ରହଣ କରିଥିଲେ ।