ନୀଳଗିରି ପୁଲିସର ଅମାନୁଷିକ କାର୍ଯ୍ୟକୁ ନିନ୍ଦା କଲେ ସୁବର୍ଣ୍ଣପୁର ସାମ୍ବାଦିକ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସର ଅମାନୁଷିକ କାର୍ଯ୍ୟକୁ ନେଇ ନିନ୍ଦା ପ୍ରସ୍ତାବ କଲେ ସାମ୍ବାଦିକ ସଂଘ। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୋଡରେ ବେଡି ପକାଇ ରଖିଥିଲା ପୁଲିସ। ନୀଳଗିରି ଥାନାଧିକାରୀ ଦ୍ରୋପଦୀ ଦାସଙ୍କ ନିର୍ଦ୍ଦେଶର ଏଭଳି କାର୍ଯ୍ୟ ହୋଇଥିବାବେଳେ ତୁରନ୍ତ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉ ବୋଲି ଦାବି ହୋଇଛି। ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତା’ସହ ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ଅଭିଯୋଗ ହୋଇଆସୁଥିଲେ ହେଁ ସରକରା ନିରବ ଦ୍ରଷ୍ଟା ସାଜିଛନ୍ତି। ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଛି ସଂଘ।

ନଚେତ୍ ଆଗାମୀ ଦିନରେ ସମ୍ବାଦିକମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି। ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ସତ୍ୟବାନ ପୁରୋହିତ, ନୀଳକମଲ ମିଶ୍ର, ରବିନ୍ଦ୍ର ହୋତା, ସୁଧିର ବିଶ୍ବାଳ, ସତ୍ୟବ୍ରତ ପଧାନ, ପିତାମ୍ବର ସାହୁ, ରାଧାକାନ୍ତ ବାଘ, ଧର୍ମେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।