ସାମ୍ବାଦିକଙ୍କ ଉପରେ ନୀଳଗିରି ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରେସ କ୍ଲବ୍‌ର ଦାବିପତ୍ର ପ୍ରଦାନ

କଂଟାବାଞ୍ଜି,ଏନ୍ଏନ୍ଏସ୍: ବର୍ତ୍ତମାନ ସମୟରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବିପଦ ଦେଇ ଗତି କରୁଛି। ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଉଥିବା ନଜର ହେଉଛି। ଦୁର୍ନିତି କରୁଥିବା ଲୋକ କିମ୍ବା ପ୍ରଶାସନିକ ଅଧିକାରୀ ଖବର ପ୍ରସାରଣ କଲେ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ସେହି ଦୁର୍ନୀତିଖୋର ଲୋକ/ପ୍ରଶାସନିକ ଅଧିକାରୀ ଆକ୍ରମଣ କରୁଥିବା ମଧ୍ୟ ସବୁ ସମୟରେ ନଜିର ରହିଛି।

ଏହି ସବୁ ଭିତରେ ବାଲେଶ୍ୱର ଜିଲ୍ଲା ନୀଲଗିରିର ଥାନା ଅଧିକାରୀ ବରିଷ୍ଠ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ପ୍ରତିଶୋଧ ପରାୟଣ ମନୋବୃତି ଓ କ୍ଷମତାର ଅପବ୍ୟବହାର କରି ସବୁ ସୀମା ଟପି ଯାଇଛନ୍ତି। ସାମାନ୍ୟ ବାଇକ୍ ଦୁର୍ଘଟଣାକୁ ନେଇ ନୀଳଗିରି ଥାନା ଅଧିକାରୀ ବରିଷ୍ଠ ସାମ୍ବାଦିକ ଶ୍ରୀ ଦଲେଇଙ୍କ ବିରାେଧରେ ସଙ୍ଗୀନ ଦଫା ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଥାନାକୁ ଡକାଇ ତାଙ୍କ ଠାରୁ ପୁଲିସ ଫୋନ୍ ଛଡେଇ କୋର୍ଟରେ ଚାଲାଣ କରିବାକୁ ଯୋଜନା ମଧ୍ୟ କରିଥିଲେ। ଶ୍ରୀ ଦଳେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ପୁଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଶ୍ରୀ ଦଳେଇଙ୍କ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ଲଗାଇ ଡାକ୍ତରଖାନାରେ ଥିବା ଖଟରେ ବାନ୍ଧି ଦେଇଥିଲା ପୁଲିସ। ଜଣେ ସାମ୍ବାଦିକଙ୍କୁ କୁଖ୍ୟାତ ଡକାୟତ, ହତ୍ୟାକାରି ଭଳି ଗୋଡରେ ବେଡି ଲଗେଇବା କେତେ ଦୁର ଠିକ।

ପୁଲିସର ଏହି କାର୍ଯ୍ୟକଳାପ ସାମ୍ବାଦିକଙ୍କ ମାନବଧିକାର କ୍ଷୂର୍ଣ୍ଣ କରିଛି। ଆତଙ୍କବାଦୀ କି ପେସାଦାର ଅପରାଧି ଭଳି ସାମ୍ବାଦିକ ଶ୍ରୀ ଦଲେଇଙ୍କୁ ସଶସ୍ତ୍ର ପୁଲିସ ଛାଇ ଭଳି ଜଗି ରହିଥିଲେ। ନୀଲଗିରି ପୁଲିସର ଔଦ୍ଧତ୍ୟ ପାଇଁ ଆଜି ରାଜ୍ୟସାରା ସାମ୍ବାଦିକ ପ୍ରତିବାଦ କରୁଥିବା ବେଳେ କଣ୍ଟାବାଞ୍ଜି ପ୍ରେସ୍‌କ୍ଲବ୍ ମଧ୍ୟ ପୁଲିସର ଏଭଳି କାମକୁ ଦୃଢ ନିନ୍ଦା କରୁଛି। ପ୍ରେସ୍‌କ୍ଲବ୍‌ର ସଭାପତି ତଥା ଜିଲ୍ଲା ଓୟୁଜେ ଉପସଭାପତି ପ୍ରଭିଜିତ ସିଂ ସାଲୁଜାଙ୍କ ନେତୃତ୍ୟରେ ପ୍ରେସ୍‌କ୍ଲବ୍ କାର୍ଯ୍ୟକାରୀ ସଭାପତି ତଥା ଓୟୁଜେ ଜିଲ୍ଲା ସହ ସମ୍ପାଦକ ସୁରଦାସ ବାଗ, ପ୍ରେସ କ୍ଲବ୍ ସହ ସମ୍ପାଦକ ଦୀପକ କୁମାର ଦାସ ୟାଦବ, କୋଷାଧ୍ୟକ୍ଷ କମଲଜିତ ସିଂ ମାଖିଜା, ପରାମର୍ଶଦାତା ଆନନ୍ଦ ମୋଟେ, ଦୁର୍ଗାପ୍ରସାଦ ଗୁପ୍ତା, ଆଶୀଷ ଖଇତାନ, ସଦସ୍ୟ ଯୁଗଳ କିଶୋର ଶବର, ରୋହନ ମହତ, ବିକାଶ ମିତ୍ତଲ ପ୍ରମୁଖ କଳାବ୍ୟାଚ୍ ପିନ୍ଧି କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ପହଞ୍ଚି ସେଠାରେ ପୁଲିସ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବ୍ୟକ୍ତିଗତ ଆକ୍ରୋଶ ରଖି ଜଣେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରିଥିବା ନୀଲଗିରି ପୁଲିସ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ରାଜ୍ୟରେ ସାମ୍ବାଦିକ ଆଇନ ପ୍ରଣୟନ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ସମୀର ବେହେରାଙ୍କୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ଦେବା ସମୟରେ ଓୟୁଜେ ଜିଲ୍ଲା ସଭାପତି ଦୀପକ ସମଜଦାର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ଥିଲେ।