ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ପିଲା: କ୍ୱାରେନ୍‌ଟାଇନ ରୁମ ଶ୍ରେଣୀଗୃହ ଏଯାଏଁ ହୋଇନି ହସ୍ତାନ୍ତର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ବାହାରେ ବସି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ। ଶିକ୍ଷାର ଏଭଳି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୀଳାକୋମ୍ବେରୁ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। କରୋନା କଟକଣା ଭିତରେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯେଉଁ ସ୍କୁଲ ଗୁଡିକ କରୋନା ମହାମାରୀ ସମୟରେ କ୍ୱାରେନ୍‌ଟାଇନ ସେଣ୍ଟର ହୋଇଥିଲା ସେସବୁ ଶ୍ରେଣୀ ଗୃହଗୁଡିକୁ ବିଶୋଧନ କରି ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମାଲକାନଗିରି ଜିଲ୍ଲାପାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୪୫୧/୨୦, ୧୮/୦୯/୨୦ ତାରିଖରେ ଏକ ଚିଠି ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜିକୁ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଉକ୍ତ କ୍ୱାରେନ୍‌ଟାଇନ ଶ୍ରେଣୀ ଗୃହକୁ ବିଦ୍ୟାଳୟକୁ ହସ୍ତାନ୍ତର ହୋଇନାହିଁ। ଏହାସହ ରୁମ ଗୁଡିକୁ ସାନିଟାଇଜ ମଧ୍ୟ କରାଯାଇ ନାହିଁ।

ଏନେଇ ଆମେ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପରିଡ଼ାଙ୍କୁ ପଚାରିବାରୁ ସେ ସେପ୍ଟେମ୍ବର ୧୭ ତାରିଖରେ ସ୍ଥାନୀୟ ସରପଞ୍ଚ ଏବଂ କୋରୁକୋଣ୍ଡା ବିଡିଓ ଏବଂ ନଭେମ୍ବର ୧୮, ୨୦୨୦ରେ କୋରୁକୋଣ୍ଡା ବିଡିଓ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ ତାଙ୍କ ପଟୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଫଳରେ ଛାତ୍ରଛାତ୍ରୀ ବାଧ୍ୟହୋଇ ଖୋଲା ଆକାଶ ତଳେ ପାଠ ପଢୁଥିବା ଦେଖିବାକୁ ମିଳିଛି। ଏନେଇ ଆମେ କୋରୁକୋଣ୍ଡା ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ ଆଜି ଛୁଟିରେ ଥିବା କହିଥିଲେ, ଏହାସହ ସୋମବାର ସୁଦ୍ଧା ଶ୍ରେଣୀ ଗୃହ ଖୋଲିବା ନିମନ୍ତେ ପଞ୍ଚାୟତକୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ଦେଇଥିଲେ।