ସ୍କୁଲ ଥିଲେ ବି ପ୍ରହରୀ ମଣ୍ଡପରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ପଞ୍ଚାୟତର ବୁଡ଼ିବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକଙ୍କ ଘର ବାରଣ୍ଡାରେ ଓ ପ୍ରହରୀ ମଣ୍ଡପରେ ପାଠ ପଢ଼ୁଥିବା ଜଣାପଡ଼ିିଛି । ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ରାତି ଅଧିଆ ଗାଁ କମିଟିକୁ ନକହି ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ତା’ର ପ୍ରତିବାଦରେ ଅଭିବାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁଲୋକେ ସ୍କୁଲରେ ତାଲା ପକାଇବା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ ହୋଇଛି । ୧୯୬୧ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଛାତ୍ରଛାତ୍ରୀମାନେ ଗାଁର ପ୍ରହରୀ ମଣ୍ଡପ ଓ ଅନ୍ୟତ୍ର ପଢୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟା ସମାଧାନ ନହେଲେ ଖପ୍ରାଖୋଲ ବିଇଓ ଅଫିସ ସହ ରାସ୍ତାରୋକ କରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।