‘ମହକ’ରେ ନୈପୁଣ୍ୟ ଦେଖାଇଲେ ଛାତ୍ରଛାତ୍ରୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଚ, ଗୀତ, ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ପ୍ରସନ୍ନ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତିର ମହିଳା ସଦସ୍ୟା ମିନତି କୁମାରୀ ମହାପାତ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୧୦ଟି ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଓ ଡିଏସପି ବବିତା ତ୍ରିପାଠୀ ଯୋଗଦେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା ଏବଂ ଶିଶୁ ଅଧିକାରୀ ଆନୁଷ୍ଠାନିକ ଯତ୍ନ କୁନିମୁଣି ସ୍ୱାଇଁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ/ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସାମାଜିକ କର୍ମୀ ସମରେନ୍ଦ୍ର ପରିଡ଼ା, ହିସାବ ରକ୍ଷକ ମହେନ୍ଦ୍ର ଚାଲାଣ ଓ ଶିଶୁ ମଙ୍ଗଳ ସମିତି ନବରଙ୍ଗପୁରର କମ୍ପ୍ୟୁଟର ଅପେରଟର ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।