ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧିନସ୍ଥ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ବହୁଜନ ଛାତ୍ର ସଂଗଠନ ଆଜି ଭବାନିପାଟଣା ନକ୍ଟିଗୁଡ଼ାଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛି । ଛାତ୍ରୀ ଜଣଜ ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ ବୋଲି ଜଣାପଡ଼ିଛି । ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ଛୁଟି ସମୟରେ ସେ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ୱେ ଝିଅକୁ ପାଇ ନ ଥିଲେ । ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ବେକରେ ଓଢ଼ଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଲୋକେ ଝିଅଟିକୁ ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୁଲିସ ସନ୍ଦେହ କରି ୩ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ତେବେ ଏହା ଏକ ହତ୍ୟାକାଣ୍ଡ ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ବରଗଡ଼/ବୋରିଗୁମ୍ମା ୨୬ ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଛି ।