ଖେଳୁଥିବା ବେଳେ ପଡି ଛାତ୍ରର ମୃତ୍ୟୁ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଗୁମୁଡା ସେବାଶ୍ରମରେ ଖେଳୁଥିବା ସମୟରେ ପଡି ଯାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗୁମୁଡା ସେବାଶ୍ରମରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଭୀମ ଯାନୀ ସୋମବାର ଅପରାହ୍ଣରେ ଅନ୍ୟ ସାଙ୍ଗମାନଙ୍କ ସହ ହଷ୍ଟେଲ୍ ପରିସରରେ ଖେଳୁଥିଲା। ଭୀମ ଅଚାନକ ପଡି ଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଧାନ ଶିକ୍ଷକ ଭୀମକୁ ତୂରନ୍ତ ନିକଟସ୍ଥ କୁମୁଲି ଡାକ୍ତରଖାନାକୁ ନେଇଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ଡାକ୍ତରଙ୍କ ପରାମର୍ଶରେ ଭୀମକୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଭୀମକୁ ଡାକ୍ତର ମୃତ ଘୋଷଣା କରିଥିଲେ ।