ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଫଳରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। ସେହିପରି ୫ ତାରିଖ ଦିନ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ଥିବା ବେଳେ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, କଟକ, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପାଗ ମେଘୁଆ ରହିବା କାରଣରୁ ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ନାହିଁ। ତେଣୁ ରାଜ୍ୟରେ ଏହି ସମୟ ମଧ୍ୟରେ ଗରମ ଗୁଳୁଗୁଳି ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୂମାନ କରାଯାଇଛି।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମା ପବନ ବୋହୁଛି। ଏହାଦ୍ୱାରା ତାପମାତ୍ରା ଅଧିକ ବଢ଼ିପାରୁ ନାହିଁ। ତେବେ ୪ ତାରିଖଠାରୁ ଗୁରୁଚାପ ବଳୟ ହେତୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବୋହିବ ଏବଂ ପାଗରେ ପରିବର୍ତ୍ତନ ହେବ। ଭୁବନେଶ୍ୱର ସମେତ ଉପକୂଳ ବର୍ତ୍ତି ଅଞ୍ଚଳରେ ୩ ତାରିଖରୁ ପାଗ ଆଂଶିକ ମେଘୁଆ ରହି ୬ ଓ ୭ ତାରିଖରେ ସମ୍ପୂର୍ଣ୍ଣ ମେଘୁଆ ପାଗ ରହିବା ସହିତ କେତେକ ସ୍ଥାନରେ ହାଲ୍କା ବର୍ଷା ହୋଇପାରେ।
ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ୪ ଓ ୭ ତାରିଖରେ ପାଗ ମେଘୁଆ ରହିବା ସହିତ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ସେହିପରି ଉତ୍ତର ଓଡ଼ିଶାରେ ବି ଏହି ସମୟ ମଧ୍ୟରେ ପାଗ ମେଘୁଆ ରହିବା ସହିତ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷ ହୋଇପାରେ। ତେଣୁ ଉତ୍ତର ଉପକୂଳ ସହିତ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିପାରେ। ଅନ୍ୟପକ୍ଷରେ ଏହି ସମୟର ମଧ୍ୟରେ ପାଗ ମେଘୁଆ ହେତୁ ତାପମାତ୍ରା ବଢ଼ିବ ନାହିଁ ବୋଲି ପ୍ରଫେସର ପଶୁପାଳକ ପୂର୍ବନୂମାନ କରିଛନ୍ତି।